ଭବାନୀପାଟଣା/ଥୁଆମୂଳ ରାମପୁର,୩ା୧ (ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି):ମୃତ୍ୟୁ ପରେ ପରାର୍ଥେ ନିଜକୁ ଉତ୍ସର୍ଗ କରିବା ଭଳି ମାନବିକତାର ନିଦର୍ଶନ ଦେଖାଇଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ଯୁବ ଖବରଦାତା କୀର୍ତ୍ତି ଚନ୍ଦ୍ର ଦୁର୍ଗା (ଦୁର୍ଗା କୀର୍ତ୍ତି)। ସ୍ବର୍ଗତ ଧବଳେଶ୍ୱର ଦୁର୍ଗାଙ୍କ କନିଷ୍ଠ ପୁତ୍ର ତଥା ତାଳବନ୍ଧ ପଡ଼ାର ବାସିନ୍ଦା ହେଉଛନ୍ତି କୀର୍ତ୍ତି। ସେ ନିଜ ମୃତ୍ୟୁ ପରେ ଶରୀରର ମୂଲ୍ୟବାନ ଅଙ୍ଗ ଦାନ କରିବା ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ସଂସ୍ଥା ନିକଟରେ ଶପଥ ଗ୍ରହଣ କରିଛନ୍ତି। ଗତ ୫ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମ ସହ ଦୈନିକ ଖବରକାଗଜ ‘ଧରିତ୍ରୀ’ରେ ଜଡ଼ିତ ରହି ଅସହାୟ ଓ ନିଷ୍ପେସିତଙ୍କ ସ୍ବର ସାଜିଛନ୍ତି। ଏ ସମ୍ପର୍କରେ କୀର୍ତ୍ତି ଥୁଆମୂଳ ରାମପୁର ଥାନାରେ ଲିଖିତ ଆବେଦନ କରି ପୋଲିସ ପ୍ରଶାସନକୁ ଅବଗତ କରାଇଛନ୍ତି। କୌଣସି ଅଘଟଣ କ୍ଷେତ୍ରରେ ତାଙ୍କର ଯକୃତ, ବୃକକ୍, ହୃଦୟ, ଫୁସ୍ଫୁସ୍, ଅଗ୍ନାଶୟ ସମେତ ଚକ୍ଷୁ ଓ ପ୍ରମୁଖ ଟିସୁଗୁଡ଼ିକୁ ସରକାରୀ ପ୍ରକ୍ରିୟା ମାଧ୍ୟମରେ ସଂଗ୍ରହ କରାଯାଇ ଅନ୍ୟର ଜୀବନ ରକ୍ଷା ପାଇଁ ବିନିଯୋଗ କରିବାକୁ ସେ ଅନୁମତି ପ୍ରଦାନ କରିଛନ୍ତି। ‘ଜୀବନ ପରେ ବି ବଞ୍ଚତ୍ବାର ସୁଯୋଗ’ ନାରାକୁ ସାର୍ଥକ କରିଥିବା ଏହି ଯୁବ ଖବରଦାତାଙ୍କ ପଦକ୍ଷେପକୁ କଳାହାଣ୍ଡି ଜିଲାରେ ପ୍ରଶଂସା କରାଯାଉଛି।