ସରକାରଙ୍କ ବଡ଼ ନିଷ୍ପତ୍ତି: ଓଟଙ୍କୁ ମିଳିବ ପାସପୋର୍ଟ

ରିଆଦ୍‌,୬ା୨:ଓଟଙ୍କୁ ନେଇ ସାଉଦି ଆରବ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ସାରା ଙ୍କ ପକ୍ଷରୁ ପାସ୍‌ପୋର୍ଟ ଦିଆଯିବ। ପାରମ୍ପରିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ସାଉଦି ସାମ୍ରାଜ୍ୟରେ ଓଟଙ୍କୁ ନେଇ ରହିଆସିଥିବା ପ୍ରାଧାନ୍ୟକୁ ଗୁରୁତ୍ୱ ଦେବା ସହିତ ସେମାନଙ୍କ ପରିଚାଳନା ଏବଂ କ୍ରୟ-ବିକ୍ରୟ କ୍ଷେତ୍ରରେ ଆହୁରି ସୁବିଧା ହାସଲ କରିବା ପାଇଁ ଓଟଙ୍କୁ ପାସ୍‌ପୋର୍ଟ ଦିଆଯିବ ବୋଲି ସେଠାକାର ସରକାର କହିଛନ୍ତି। ଏଥିପାଇଁ ସାଉଦି ଆରବର ପରିବେଶ, ଜଳ ଏବଂ କୃଷି ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ଆରବ ସାମ୍ରାଜ୍ୟରେ ଅନେକ ହଜାର ବର୍ଷ ଧରି ଓଟଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିଆସିଛି। ୨୦୨୧ରେ ଏ ସମ୍ପର୍କରେ ପ୍ରକାଶ ପାଇଥିବା ଏକ ଗବେଷଣାତ୍ମକ ତଥ୍ୟ ଅନୁସାରେ ପ୍ରାୟ ୭ ହଜାର ବର୍ଷ ତଳୁ ସାଉଦି ଅଞ୍ଚଳରେ ଓଟଙ୍କ ଚଳପ୍ରଚଳ ରହିଆସିଛି। ପରିବହନ ବ୍ୟତୀତ ଓଟ ଏଠାକାର ଲୋକଙ୍କ ସମ୍ପତ୍ତି ଏବଂ ପାରିବାରିକ ସ୍ଥିତିକୁ ସୂଚାଇବାରେ ବିଶେଷ ମହତ୍ତ୍ୱ ବହନ କରିଥାଏ। ଏଥିପାଇଁ ଅନ୍ୟ ଯେକୌଣସି ଜିନିଷ ତୁଳନାରେ ଏଠାରେ ଓଟଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସାଉଦି ରାଜାଙ୍କ ପକ୍ଷରୁ ପ୍ରତିବର୍ଷ ଏଠାରେ ସୁନ୍ଦର ଓଟ ପ୍ରତିଯୋଗିତା ଆୟୋଜନ କରାଯାଏ ଏବଂ ଯେଉଁ ଓଟ ସର୍ବଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୁଏ, ତାହାକୁ ଅନେକ ଲକ୍ଷ ଡଲାରରେ ବିକ୍ରି କରାଯାଏ। ଓଟଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ମଧ୍ୟ ଏଠାକାର ସାମାଜିକ ଦିଗର ଅନ୍ୟତମ ମୁଖ୍ୟ ବିଷୟ। ଓଟଙ୍କୁ ଅଯଥାରେ ରାସାୟନିକ ସୌନ୍ଦର୍ଯ୍ୟ ସାମଗ୍ରୀରେ ସଜାଇବା କିମ୍ବା ସେମାନଙ୍କ ଶରୀରରେ ପ୍ଲାଷ୍ଟିକ୍‌ ଜିନିଷ ବ୍ୟବହାର କରିବା ବେଆଇନ। ୨୦୨୪ ସୁଦ୍ଧା ସାଉଦି ଆରବରେ ରହୁଥିବା ଓଟଙ୍କ ସଂଖ୍ୟା ୨୦ ଲକ୍ଷ ୨୦ ହଜାର ଏବଂ ଓଟ ମାଲିକଙ୍କ ସଂଖ୍ୟା ଅନୂ୍ୟନ ୮୦ ହଜାର ରହିଛି।
ଦେଶର ବିଭିନ୍ନ ଇଲାକାରେ ପରିବହନ କ୍ଷେତ୍ରରେ ଓଟମାନଙ୍କୁ ଉପଯୋଗ କରାଯାଉଛି। କିନ୍ତୁ ଏତେ ସଂଖ୍ୟକ ଓଟଙ୍କ ପରିଚାଳନା ଏବଂ ସେମାନଙ୍କ ମାଲିକାନାତ୍ୱକୁ ନେଇ ଅନେକ ସମୟରେ ସମସ୍ୟା ଉପୁଜୁଛି। ଏହାକୁ ଦୃଷ୍ଟିରେ ରଖି ଓଟ ପରିଚାଳନା ଦିଗର ସମସ୍ତ ଦିଗକୁ ସହଜ କରିବା ଲାଗି ସରକାର ପାସ୍‌ପୋର୍ଟ ବ୍ୟବସ୍ଥା କରିବାକୁ ଯାଉଛନ୍ତି ବୋଲି ଏଠାକାର ସରକାରୀ ଖବରଦାତା ସଂସ୍ଥା ‘ଅଲ ଆକବରିୟା’ କହିଛି। ଓଟଙ୍କୁ ଦିଆଯିବାକୁ ଥିବା ପାସ୍‌ପୋର୍ଟରେ ଏକ ମାଇକ୍ରୋଚିପ୍‌ ନମ୍ବର ରହିବ , ଯେଉଁଥିରେ ଚିହ୍ନଟ ପାଇଁ ବ୍ୟାପକ ତଥ୍ୟ ରହିବ। ପାସ୍‌ପୋର୍ଟ ନମ୍ବରଠାରୁ ଆରମ୍ଭ କରି ଓଟର ନାମ, ଜନ୍ମ ତାରିଖ, ଜନ୍ମ ସ୍ଥାନ, ରଙ୍ଗ, ପ୍ରଜାତି, ଲିଙ୍ଗ ଏବଂ ଫଟୋ ରହିବ। ଏହାବ୍ୟତୀତ ଠିକଣା ସମୟରେ ଓଟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଟିକାକରଣ ହୋଇଛି କି ନାହିଁ ସେ ସମ୍ପର୍କିତ ତଥ୍ୟ ମଧ୍ୟ ପାସ୍‌ପୋର୍ଟରେ ରହିବ।

 

Dharitri – Odisha’s No.1 Odia Daily

 

Share