ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ୩ ଜଣ ସଦସ୍ୟ କହିବା ସହ ଏହାକୁ ରଦ୍ଦ କରିବା ପାଇଁ ଶୁକ୍ରବାର ପ୍ରସ୍ତାବ ଆଣିଛନ୍ତି। ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦% ଶୁଳ୍କ ଆମେରିକୀୟ କର୍ମଚାରୀ, ଗ୍ରାହକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ବେଆଇନ ଏବଂ କ୍ଷତିକାରକ ବୋଲି ସେମାନେ କହିଛନ୍ତି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ପ୍ରତିନିଧି ଦେବୋରାହ ରୋସ୍‌, ମାର୍କ ଭେସି ଏବଂ ରାଜା କ୍ରିଷ୍ଣମୂର୍ତ୍ତି ଏହି ପ୍ରସ୍ତାବ ଆଣିବା ସହ ବ୍ରାଜିଲ ଉପରେ ଲାଗୁ ହୋଇଥିବା ଅନୁରୂପ ଟାରିଫ ରଦ୍ଦ କରିବା ଏବଂ ଆମଦାନୀ ଶୁଳ୍କ ବଢ଼ାଇବା ଲାଗି ରାଷ୍ଟ୍ରପତିଙ୍କ ଜରୁରୀ କ୍ଷମତା ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ସିନେଟ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି।
ଭାରତୀୟ ସାମଗ୍ରୀ ଉପରେ ଆମେରିକା ପୂର୍ବରୁ ୨୫% ଜବାବୀ ଶୁଳ୍କ ଲଗାଇଥିବାବେଳେ ଅନ୍ତର୍ଜାତୀୟ ଜରୁରୀ ଅର୍ଥନୈତିକ କ୍ଷମତା ଆଇନ ବଳରେ ଗତ ଅଗଷ୍ଟ ୨୭ରେ ଅତିରିକ୍ତ ୨୫% ଟାରିଫ୍‌ ଲଗାଇଛି। ଫଳରେ ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ ପରିମାଣ ୫୦ ପ୍ରତିଶତରେ ପହଞ୍ଚତ୍ଛି। ନର୍ଥ କାରୋଲିନାର ଅର୍ଥନୀତି ମୁଖ୍ୟତଃ ବାଣିଜ୍ୟ, ପୁଞ୍ଜିନିବେଶ ଜରିଆରେ ଭାରତ ଉପରେ ଏବଂ ଦକ୍ଷ ଭାରତୀୟ ଆମେରିକୀୟ ଜନସାଧାରଣଙ୍କ ଉପରେ ନିର୍ଭର କରିଥାଏ ବୋଲି କଂଗ୍ରେସ ସଦସ୍ୟ ରୋସ୍‌ କହିଛନ୍ତି। ଭାରତୀୟ କମ୍ପାନୀଗୁଡ଼ିକ ଉକ୍ତ ରାଜ୍ୟରେ ବିଲିୟନ ଡଲାର ନିବେଶ କରି ଅନେକ ହଜାର ନିଯୁକ୍ତି ସୃଷ୍ଟି କରିଛନ୍ତି। ନର୍ଥ କାରୋଲିନାରୁ ଉତ୍ପାଦିତ ସାମଗ୍ରୀ ଭାରତକୁ ରପ୍ତାନି ଦ୍ୱାରା ଅନେକ ନିୟୁତ ଡଲାର ଆୟ ହୋଇଥାଏ। ଭାରତ ଆମର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ, ଅର୍ଥନୈତିକ ଏବଂ ରଣନୀତିକ ସହଯୋଗୀ। ଏଭଳି ବେଆଇନ ଟାରିଫ୍‌ ଲଗାଇବା ଟର୍ଥ ଟେକ୍ସାନଙ୍କ ଉପରେ ଟିକସ ବୋଲି ଭେସି କହିଛନ୍ତି। ସେହିପରି ଭାରତୀୟ-ଆମେରିକୀୟ କଂଗ୍ରେସମ୍ୟାନ୍‌ କ୍ରିଷ୍ଣମୂର୍ତ୍ତି କହିଛନ୍ତି, ଟାରିଫ୍‌ ଉତ୍ପାଦନ ବିରୋଧୀ ଏବଂ ଯୋଗାଣ ଶୃଙ୍ଖଳକୁ ବାଧାଦେବା ସହ ଆମେରିକୀୟ ଶ୍ରମିକଙ୍କୁ କ୍ଷତି ପହଞ୍ଚାଇବ। ଏଥିସହିତ ଗ୍ରାହକମାନେ ମହଙ୍ଗାର ସମ୍ମୁଖୀନ ହେବେ। ଏହି ଟାରିଫ୍‌ ହଟାଇଦେଲେ ଆମେରିକା-ଭାରତ ଅର୍ଥନୀତି ଏବଂ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Share