ନୂଆଦିଲ୍ଲୀ,୭ା୧୧: ଦେଶରେ ବୁଲା କୁକୁରଙ୍କ ଉପଦ୍ରବ ବଢ଼ୁଥିବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ କ୍ରୀଡ଼ା କେନ୍ଦ୍ର ପରିସରରୁ ବୁଲା କୁକୁରଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟା ଏବଂ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, କୁକୁରଙ୍କୁ ଧରିବା ପରେ ଉଚିତ ଟିକାକରଣ ଓ ବନ୍ଧ୍ୟାକରଣ କରାଯାଇ Animal Birth Control Rules ଅନୁସାରେ ସେମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉ।
ଅଦାଲତ କହିଛନ୍ତି, କୁକୁରମାନଙ୍କୁ ଯେଉଁ ସ୍ଥାନରୁ ଧରାଯିବ, ସେଠାକୁ ପୁଣି ଛଡ଼ାଯିବ ନାହିଁ। କାରଣ ଏପରି କରିବା ଦ୍ୱାରା ଏହି ଅଞ୍ଚଳଗୁଡ଼ିକୁ କୁକୁରମୁକ୍ତ କରିବାର ଉଦ୍ଦେଶ୍ୟ ବିଫଳ ହେବ।
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲା ମାଜିଷ୍ଟ୍ରେଟ୍ (DM)ମାନଙ୍କୁ ସ୍କୁଲ, କଲେଜ, ହସ୍ପିଟାଲ ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଉପଯୁକ୍ତ ଭାବେ ବାଡ଼ ଦେଇ ସୁରକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ବୁଲା କୁକୁର ପ୍ରବେଶ କରିପାରିବେ ନାହିଁ।
ଏହି ପରିସରଗୁଡ଼ିକରେ ବୁଲା କୁକୁରଙ୍କ ଉପସ୍ଥିତି ଯାଞ୍ଚ କରିବା ପାଇଁ ନିୟମିତ ନିରୀକ୍ଷଣ କରାଯିବ।
ଶିଶୁମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ ରାବିସ୍ ବୃଦ୍ଧି ପାଇବା ଭଳି ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ଗତ ଜୁଲାଇ ୨୮ ତାରିଖରୁ ଆରମ୍ଭ ହୋଇଥିବା ‘ସୁଓ ମୋଟୋ’ (Suo Motu) ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି।
ସୁପ୍ରିମକୋର୍ଟ ବୁଲା କୁକୁର ପ୍ରସଙ୍ଗ ସହିତ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ଦୋହରାଇ ରାସ୍ତା ଓ ରାଜପଥରୁ ବୁଲା ଗୋରୁଗାଈ ତଥା ଅନ୍ୟାନ୍ୟ ପ୍ରାଣୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ପୌର କର୍ତ୍ତୃପକ୍ଷ ଓ ଜାତୀୟ ରାଜପଥ ପ୍ରାଧିକରଣ (NHAI)କୁ ତୁରନ୍ତ ସମସ୍ତ ଗୋରୁଙ୍କୁ ରାଜପଥରୁ ହଟାଇବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଲା ପଶୁମାନଙ୍କୁ ରଖିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଗୋଶାଳା ଏବଂ ଆଶ୍ରୟସ୍ଥଳ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।