ହାଟଡିହୀ,୨l୩(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ତରତରାଠାରେ ଶନିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ପଦ୍ମ ଧରିଥିବା ଅନ୍ୟ ଦଳର ଶତାଧିକ ନେତା ଓ କର୍ମୀଙ୍କୁ କେନ୍ଦୁଝର ଏମ୍ପି ଅନନ୍ତ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି। ମାତ୍ର ଏହି ମିଶ୍ରଣକୁ ନେଇ କଂଗ୍ରେସ ଏବଂ ବିଜେଡି ମଧ୍ୟରେ କାଦୁଅପିଙ୍ଗା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସାଧାରଣ ନିର୍ବାଚନରେ ଆନନ୍ଦପୁର ବିଧାନସଭା କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ହୋଇଥିବା ଆଲୋକ ସେଠୀ କହିଛନ୍ତ, ବିଜେଡି ଓ କଂଗ୍ରେସର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସହ ବହୁ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି । କିନ୍ତୁ ବିଜେଡ଼ି ବିଧାୟକ ଅଭିମନ୍ୟୁ ସେଠୀ କହିଛନ୍ତି, ଯେଉଁ ମାନେ ଭାଜପାରେ ମିଶିଛନ୍ତି ସେମାନେ ବିଜେଡିର ନୁହଁନ୍ତି ।
ସେମାନେ କଂଗ୍ରେସ ଦଳର ଅଟନ୍ତି ।ଅପରପକ୍ଷେ ଏପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ବିଜେଡି ଓ ସନାତନ ମହାକୁଡ଼ଙ୍କ ଲୋକ ଭାଜପାରେ ମିଶିଛନ୍ତି l କଂଗ୍ରେସ ଦଳର କେହି ଭାଜପାରେ ମିଶିନାହାଁନ୍ତି। ତେବେ ଯେଉଁ ଦଳ ସରକାରକୁ ଆସେ ସେତେବେଳେ ଅନ୍ୟ ଦଳର କର୍ମୀ ନିଜର ସ୍ବାର୍ଥ ହାସଲ ପାଇଁ ଦଳ ପରିବର୍ତ୍ତନ କରିବା ଏକ ଅଭ୍ୟାସଗତ ଘଟଣା ବୋଲି ଜୟଦେବ କହିଛନ୍ତି l