ନୂଆଦିଲ୍ଲୀ,୧୬ା୧୧: ଭାରତୀୟ ମସଲା ବ୍ୟବସାୟୀ ଏବଂ ଚା’ ଚାଷୀମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପ୍ ପ୍ରାୟ ୨୦୦ ପ୍ରକାରର ଖାଦ୍ୟ, କୃଷିଜାତ ଏବଂ କୃଷି ସମ୍ବନ୍ଧୀୟ ଉତ୍ପାଦ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆମେରିକା ଦ୍ୱାରା ଶୁଳ୍କ କୋହଳ କରାଯାଇଥିବା ତାଲିକାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ରପ୍ତାନୀ ସାମଗ୍ରୀ ସ୍ଥାନ ପାଇଛି। ଏଥିରେ ଗୋଲମରିଚ, ଲବଙ୍ଗ, ଜୀରା, ଅଳେଇଚ, ହଳଦୀ, ଅଦା, ବିଭିନ୍ନ ପ୍ରକାରର ଚା’, ଅମୃତଭଣ୍ଡା, କାଜୁ ଏବଂ ଆମ୍ବ ଭଳି ଉତ୍ପାଦ ସାମିଲ୍ ଅଛି।
୨୦୨୪ରେ ଭାରତ ଆମେରିକାକୁ ୫୦୦ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ମସଲା ରପ୍ତାନି କରିଥିଲା। ପ୍ରାୟ ୫୦ଟି ପ୍ରୋସେସ୍ଡ ଫୁଡ୍ କାଟେଗୋରୀ ଏବଂ ମସଲା (୩୫୯ ମିଲିୟନ୍ ଡଲାର) ସର୍ବାଧିକ ଲାଭବାନ ହେବେ ବୋଲି ଆଶା କରାଯାଉଛି।
ଜଣେ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ଏହି ଶୁଳ୍କ ହ୍ରାସ ଭାରତୀୟ କୃଷି ରପ୍ତାନୀ ପାଇଁ ଏକ ସମାନ ସୁଯୋଗ ଆଣିଦେବ ଏବଂ ଭାରତୀୟ ଉତ୍ପାଦଗୁଡ଼ିକ ଆମେରିକା ବଜାରରେ ପ୍ରତିଯୋଗିତାମୂଳକ ସୁବିଧା ପାଇବେ। ତେବେ ଏହି ଆଶ୍ୱସ୍ତିରେ ଭାରତର କିଛି ବଡ଼ ଆୟକାରୀ କୃଷିଜାତ ଉତ୍ପାଦକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ।
ଚିଙ୍ଗୁଡ଼ି, ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଏବଂ ବାସମତୀ ଚାଉଳ ଭଳି ଉଚ୍ଚ ମୂଲ୍ୟର ରପ୍ତାନୀ ଏହି ଛାଡ଼ ତାଲିକାରୁ ବାଦ୍ ପଡ଼ିଛି। ଏହା ବ୍ୟତୀତ, ଭାରତୀୟ ରତ୍ନ, ଅଳଙ୍କାର ଏବଂ ପୋଷାକ ଉପରେ ୫୦% ଶୁଳ୍କ ବଳବତ୍ତର ରହିଛି।
ଟ୍ରମ୍ପ୍ଙ୍କ ଏହି ନିଷ୍ପତ୍ତି ଆମେରିକାରେ ବଢ଼ୁଥିବା ମହଙ୍ଗା ଏବଂ ଖର୍ଚ୍ଚ ଚିନ୍ତାକୁ ନେଇ ଭୋଟରଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ ଏକ ପଦକ୍ଷେପ ବୋଲି କୁହାଯାଉଛି।