ଏଚ୍‌-୧ବି ଭିଜାଧାରୀଙ୍କ ଲାଗି ଆଶ୍ୱସ୍ତି

ନୂଆଦିଲ୍ଲୀ: ଏଚ୍‌-୧ବି ଭିଜାଧାରୀଙ୍କ ଲାଗି ଖୁସି ଖବର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଏହି ବର୍ଗରେ ଭିଜା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି। ଶପଥ ଗ୍ରହଣ ପରେ ବାଇଡେନ୍‌ ପୂରା ଆକ୍ସନ ମୁଡ୍‌ରେ ରହିଛନ୍ତି। ନିଜ ପ୍ରଶାସନରେ ଅନେକ ପ୍ରବାସୀ ଭାରତୀୟଙ୍କୁ ସ୍ଥାନିତ କରିବା ପରେ ଭାରତୀୟଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି। ଏଚ୍‌-ବି ଭିଜା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଜୀବନସାଥୀ ଆମେରିକାରେ ବର୍ତ୍ତମାନ ରହି କାମ ଜାରି ରଖିପାରିବେ। ଏ ନେଇ ବାଇଡେନ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବରୁ ଏଚ୍‌-ବି ଭିଜା ରଖିଥିବା ବ୍ୟକ୍ତି ବିଶେଷଙ୍କ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ଚିନ୍ତା ଲାଗି ରହିଥିଲା। କାରଣ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏ କ୍ଷେତ୍ରରେ କଟକଣା ଲଗାଇବା ଲାଗି ପୂର୍ବବର୍ଷ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଚ୍‌-୧ବି ଭିଜା ରଖିଥିବା କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ଆମେରିକାରେ ରହି କାମ କରିବା ଲାଗି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ନିୟମ କାର୍ଯ୍ୟକାରୀ ହୋଇଥିଲା। ଏହି ନିୟମକୁ ଉଠାଇଦେବା ଲାଗି ଟ୍ରମ୍ପ୍‌ ପ୍ରଶାସନ ପ୍ରକ୍ରିୟା ଜାରି କରିଥିଲା। ସେଠାରେ ବାଇଡେନ୍‌ଙ୍କ ସରକାର ଆସିବା ପରେ ଭାରତୀୟଙ୍କ ଚିନ୍ତା ଏବେ ଟଳିଛି। ବାଇଡେନ୍‌ ପ୍ରଶାସନ ଆସିବା ପରେ ଏଚ୍‌-୪ ଭିଜା ଦ୍ୱାରା ସେଠାରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ଚିନ୍ତା ଏବେ ଟଳିଛି। ଏଚ୍‌-୪ ଭିଜାଧାରୀଙ୍କ ଲାଗି ଏହା ଏକ ସ୍ମରଣୀୟ ଦିନ ବୋଲି ସେଠାରେ ବସବାସ କରୁଥିବା ପ୍ରବାସୀ ମତବ୍ୟକ୍ତ କରିଛନ୍ତି।