ରାକ୍ଷୀରେ କଏଦୀଙ୍କୁ ଭେଟି ପାରିବେନି ପରିବାର ସଦସ୍ୟ

ଲକ୍ଷ୍ନୌ,୨୮।୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ଜେଲ ପ୍ରଶାସନ ରାକ୍ଷୀ ପୂର୍ଣ୍ଣିମାକୁ ନେଇ କିଛି ନିୟମ କରିଛନ୍ତି। ଏଥର ରାକ୍ଷୀରେ ଜେଲରେ ଥିବା କଏଦୀମାନଙ୍କୁ ସେମାନଙ୍କର ପରିବାର ଲୋକ ଭେଟି ପାରିବେ ନାହିଁ ବୋଲି ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏହି ପର୍ବର ୨୪ ଘଣ୍ଟା ପୂର୍ବରୁ ସେମାନେ ଜେଲକୁ ରାକ୍ଷୀ ପଠାଇ ପାରିବେ। ତେବେଯାଇ ଉକ୍ତ ରାକ୍ଷୀ ଗୁଡିକୁ ସାନିଟାଇଜ କରାଯାଇ କଏଦୀଙ୍କୁ ଦିଆଯିବ। ପ୍ରିଜନର୍ସ ଆଡମିନିଷ୍ଟ୍ରେଶନ ବିଭାଗର ମହା ନିର୍ଦ୍ଦେଶକ ଆନନ୍ଦ କୁମାର କହିଛନ୍ତି ଚଳିତ ବର୍ଷ କରୋନା ଭାଇରସ ସଂକ୍ରମଣ ଯୋଗୁ ଆମେ ଏଭଳି ନିୟମ କରିଛୁ। କାରଣ ପରସ୍ପରକୁ ଛୁଇଁଲେ ଏହା ବ୍ୟାପୁଥିବାରୁ କଏଦୀଙ୍କ ସୁରକ୍ଷା ପାଇଁ ଏଭଳି କରାଯାଇଥିବା ସେ କହିଛନ୍ତି। ପୂର୍ବ ବର୍ଷମାନଙ୍କରେ ପାଖାପାଖି ୬୦-୭୦ ପ୍ରତିଶତ କଏଦୀଙ୍କ ଭଉଣୀ ସେମାନଙ୍କ ଭାଇଙ୍କୁ ରାକ୍ଷୀ ପିନ୍ଧାଇବାକୁ ଆସୁଥିବା ବେଳେ ଏଥର କିନ୍ତୁ କରୋନା ପାଇଁ ଏହାକୁ ବନ୍ଦ କରି ଦିଆଯାଇଛି।