ସାରସ୍ବତ ସମ୍ପର୍କ: ସେଦିନ ଓ ଆଜି

ଡ. ଛାୟାକାନ୍ତ ଷଡ଼ଙ୍ଗୀ

୧୯୫୩ ମସିହା ଶେଷାର୍ଦ୍ଧ ସମୟର କଥା। ସେତେବେଳେ ବିଶିଷ୍ଟ ଲେଖକ ମନୋଜ ଦାସ ଥାଆନ୍ତି ଛାତ୍ରନେତା। ସେ ପଢ଼ୁଥାଆନ୍ତି ଫକୀର ମୋହନ ମହାବିଦ୍ୟାଳୟରେ। ଥରେ ସେ ଛାତ୍ର ଫେଡେରେଶନର କୌଣସି ଏକ କାର୍ଯ୍ୟରେ ଭଦ୍ରକ ଆସିଥାଆନ୍ତି। ଛାତ୍ର ଫେଡେରେଶନର ଜଣେ ପୂର୍ବତନ କର୍ମକର୍ତ୍ତା ଯୋଗେନ୍‌ ବସୁ ସେତେବେଳେ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟାପକ ଥାଆନ୍ତି। ଏଣୁ ମନୋଜ ଦାସ ତାଙ୍କ ସହ ସୌଜନ୍ୟ-ସାକ୍ଷାତ୍‌ ନିମନ୍ତେ ତାଙ୍କ ବାସଭବନରେ ପହଞ୍ଚତ୍ଲେ। ଯୋଗେନ୍‌ବାବୁ ଦାଣ୍ଡଘରେ ବସିଥାଆନ୍ତି। ଖଟ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ କେହି ଜଣେ ବିରାଜମାନ ଥା’ନ୍ତି। ଯୋଗେନ୍‌ବାବୁ ତାଙ୍କୁ (ମନୋଜ ଦାସଙ୍କୁ) ଦେଖି ହଠାତ୍‌ କହି ଉଠିଲେ, ‘ମନୋଜ’! ଖଟ ଉପରେ ଅର୍ଦ୍ଧଶାୟିତ ଥିବା ଭଦ୍ରବ୍ୟକ୍ତି ଜଣକ ଉଠିପଡ଼ି ଆଶ୍ଚର୍ଯ୍ୟ ହୋଇ କହିଲେ, ‘କେଉଁ ମନୋଜ?’ ଯୋଗେନ୍‌ବାବୁ କହିଲେ, ‘ଲେଖକ ମନୋଜ ଦାସ’। ସେହି ଭଦ୍ରବ୍ୟକ୍ତି ମନୋଜ ଦାସଙ୍କୁ ଆନନ୍ଦରେ କୁଣ୍ଢାଇ ପକାଇଲେ। ସେ ଥିଲେ ବିଶିଷ୍ଟ ସାହିତି୍ୟକ ମହାପାତ୍ର ନୀଳମଣି ସାହୁ। ମନୋଜ ଦାସ କଲେଜରେ ତୃତୀୟ ବର୍ଷର ଛାତ୍ର ଥିବାବେଳକୁ ତାଙ୍କର ‘ଶତାବ୍ଦୀର ଆର୍ତ୍ତନାଦ’, ‘ବିପ୍ଳବୀ ଫକୀର ମୋହନ’, ‘ପଦଧ୍ୱନି’ କବିତା ସଂକଳନ ଏବଂ ‘ସମୁଦ୍ରର କ୍ଷୁଧା’ ଓ ‘ଜୀବନର ସ୍ବାଦ’ ଗଳ୍ପ ସଂକଳନ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିସାରିଥିଲା। ପୁନଶ୍ଚ ୧୯୫୦ ମସିହାରୁ ସେ ‘ଦିଗନ୍ତ’ ପତ୍ରିକାର ସମ୍ପାଦନା କରିଆସୁଥିଲେ। ମହାବିଦ୍ୟାଳୟରେ ପଢ଼ିବା ବେଳକୁ ସେ ଜଣେ କବି ଓ ଗାଳ୍ପିକ ଭାବରେ ଆଦୃତ ହୋଇ ସାରିଥିଲେ। ତାଙ୍କର ଲେଖା ପଢ଼ି ମହାପାତ୍ର ନୀଳମଣି ସାହୁ ଏତେ ଅଭିଭୂତ ହୋଇଥିଲେ ଯେ, ଥରେ ସେ ଟ୍ରେନ୍‌ରେ ଫକୀର ମୋହନ କଲେଜରେ ପଢ଼ୁଥିବା ମନୋଜ ଦାସଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାଲେଶ୍ୱର ଚାଲି ଆସିଥିଲେ। ମାତ୍ର ସେଥର ତାଙ୍କ ସହ ସାକ୍ଷାତ୍‌ ହୋଇପାରି ନ ଥିଲା। ଜଣେ ଛାତ୍ରର ଲେଖାରେ ମୁଗ୍ଧ ହୋଇ ଜଣେ ଅଧ୍ୟାପକ ତାକୁ ଭେଟିବା ପାଇଁ ଆସିବା କମ୍‌ ମହତ୍ତ୍ୱର କଥା ନୁହେଁ। ସାରସ୍ବତ ସମ୍ପର୍କ ସମ୍ବନ୍ଧୀୟ ଆଉ ଏକ ଘଟଣା। ଏହା ପ୍ରାପ୍ତ ହୋଇଛି ଆଉ ଜଣେ ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ମହାନ୍ତିଙ୍କ ପାଖରୁ। ସେତେବେଳେ ଖ୍ରୀଷ୍ଟ କଲେଜରେ ଓଡ଼ିଆ ଅଧ୍ୟାପକ ଥା’ନ୍ତି ବିଶିଷ୍ଟ ସାହିତି୍ୟକ ପଠାଣି ପଟ୍ଟନାୟକ। ଦିନେ ଶ୍ରେଣୀଗୃହରେ ଅଧ୍ୟାପକ ପଟ୍ଟନାୟକ ଛାତ୍ରମାନଙ୍କୁ ନିଜର ପରିଚୟ ପଚାରନ୍ତେ ଜଣେ ଛାତ୍ର କହିଲେ, ସେ ହେଉଛନ୍ତି ଭଞ୍ଜକିଶୋର ପଟ୍ଟନାୟକ। ପଠାଣିବାବୁ ଭାବିଲେ, ଛାତ୍ରଟି ଦୁଷ୍ଟାମି କରୁଛି ଏବଂ ସେ ବିରକ୍ତ ହୋଇ ପଚାରିଲେ, ‘ତୁମେ ଜାଣ ସେ କିଏ? ସେ ହେଉଛନ୍ତି ବିଶିଷ୍ଟ ନାଟ୍ୟକାର ଭଞ୍ଜକିଶୋର ପଟ୍ଟନାୟକ।’ ଛାତ୍ରଟି କହିଲା, ‘ହଁ ସାର୍‌, ମୁଁ ସେହି ଭଞ୍ଜକିଶୋର ପଟ୍ଟନାୟକ।’ ଆହୁରି ରାଗିଗଲେ ପଠାଣିବାବୁ। ସେ ତାକୁ କହିଲେ, ‘ଠିକ୍‌ ଅଛି। କହିଲ, ସେ କେଉଁ ନାଟକଗୁଡ଼ିକ ଲେଖିଛନ୍ତି?’ ଛାତ୍ରଟି କହିଗଲା, ”ନାଟକଗୁଡ଼ିକ ହେଲା- ‘ବେନାମୀ’, ‘ତୋଫାନ’, ‘ଜହର’, ‘ଜୟମାଲ୍ୟ’, ‘ମାଣିକ ଯୋଡ଼ି,’ ‘ବୈରାଗୀର ସଂସାର’ ଓ ଆହୁରି ଅନେକ। ପଠାଣିବାବୁଙ୍କ ଆଉ ସନ୍ଦେହ ରହିଲା ନାହିଁ। ସେହି ଛାତ୍ର ହିଁ ଥିଲେ ଭଞ୍ଜକିଶୋର ପଟ୍ଟନାୟକ। ପଠାଣିବାବୁ ତାଙ୍କୁ ଅପମାନିତ କରିଥିବାରୁ ଦୁଃଖ ପ୍ରକାଶ କଲେ। ମାତ୍ର ଭଞ୍ଜକିଶୋର ପଟ୍ଟନାୟକ କହିଲେ, ‘ସାର୍‌, ଆପଣ ମୋର ଗୁରୁ। ଯଦି ମୁଁ ଜଣେ ସଫଳ ନାଟ୍ୟକାର ହୋଇଥାଏ, ତାହା ଆପଣଙ୍କ ଆଶୀର୍ବାଦରୁ।’ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଗଭୀର ସାରସ୍ବତ ସମ୍ପର୍କ। ସାହିତ୍ୟ ହେଉଛି ଦିବ୍ୟ ପ୍ରେରଣାର ଅଭିବ୍ୟକ୍ତି। ଏଣୁ ସାରସ୍ବତ ସମ୍ପର୍କରେ ଥାଏ ଅନାବିଳ ପ୍ରେମ। ସେଠି ନ ଥାଏ ଈର୍ଷା, ଦ୍ୱେଷ ଓ ପରଶ୍ରୀକାତରତା। ସେଠି ନ ଥାଏ ବରିଷ୍ଠ-କନିଷ୍ଠ ଭେଦଭାବ କିମ୍ବା ଗୁରୁ-ଶିଷ୍ୟ ଭେଦଭାବ। ଉଭୟ ଭଞ୍ଜକିଶୋର ପଟ୍ଟନାୟକ ଓ ମନୋଜ ଦାସ ସେମାନଙ୍କ ଗୁରୁମାନଙ୍କଠାରୁ ଛାତ୍ରଥିବା ସମୟରେ ମଧ୍ୟ ଶୁଭେଚ୍ଛା, ଅଭିନନ୍ଦନ ଓ ସ୍ବୀକୃତି ଲାଭ କରିଥିଲେ। ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଅନାବିଳ ସାରସ୍ବତ ସମ୍ପର୍କ।
କବି ଗଙ୍ଗାଧର ମେହେର ସାରସ୍ବତ କର୍ମରେ ଆତ୍ମନିୟୋଗ କଲାବେଳକୁ ରାଧାନାଥ ରାୟ ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠିତ ହୋଇ ସାରିଥିଲେ। ପୁନଶ୍ଚ ବୟସରେ ଗଙ୍ଗାଧର ତାଙ୍କଠୁ ଢେର ସାନ। ତା’ ସତ୍ତ୍ୱେ ରାଧାନାଥ ତାଙ୍କ ଦ୍ୱାରା ପ୍ରଣୀତ ଖଣ୍ଡିଏ ବ୍ୟାକରଣ ପୁସ୍ତକ ଗଙ୍ଗାଧରଙ୍କ ଦ୍ୱାରା ସଂଶୋଧିତ କରାଇ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେ ଚିଠି ଲେଖିଥିଲେ, ”ଆପଣଙ୍କଠାରୁ ମୁଁ ପୁସ୍ତକ ସମ୍ବନ୍ଧରେ ମୂଲ୍ୟବାନ ଉପଦେଶ ପ୍ରତ୍ୟାଶା କରେ। ବ୍ୟାକରଣ ଶାସ୍ତ୍ରରେ ଆପଣ ସବ୍ୟୁତ୍ପନ୍ନ। ମୁଁ ଯେଉଁ ପ୍ରଣାଳୀ ଅବଲମ୍ବନ କରି ପୁସ୍ତକ ଲେଖିଅଛି, ସେ ସମ୍ପର୍କରେ ଆପଣଙ୍କ ମତ ବିସ୍ତୃତ ଭାବରେ ଲେଖିଲେ ଉପକୃତ ହେବି। ମୋହର ନିତାନ୍ତ ପ୍ରାର୍ଥନା, ଆପଣ ନିଃସଙ୍କୋଚରେ ସମସ୍ତ ଦୋଷ ଦେଖାଇବା ହେବେ।“ ବୟସର ତାରତମ୍ୟ ସତ୍ତ୍ୱେ ଉଭୟ ରାଧାନାଥ ଓ ଗଙ୍ଗାଧରଙ୍କ ମଧ୍ୟରେ ଅନାବିଳ ସାରସ୍ବତ ସମ୍ପର୍କ ଗଢ଼ି ଉଠିଥିଲା। କ୍ରମେ ସାରସ୍ବତ ସମ୍ପର୍କ ଉଭୟଙ୍କୁ ଏତେ ନିକଟତର କରିଥିଲା ଯେ, ସେମାନେ ପରସ୍ପରର ସୁଖ ଓ ଦୁଃଖରେ ମଧ୍ୟ ଭାଗୀ ହେଉଥିଲେ। କନିଷ୍ଠ କବି ଗଙ୍ଗାଧରଙ୍କ ବ୍ୟକ୍ତିତ୍ୱରେ ରାଧାନାଥ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଲେଖିଥିଲେ, ”ଆପଣ ସୁକବି ଓ ସୁଲେଖକ, କେବଳ ଏହି କଥା ମନେକରି ମୁଁ ଯେ ଆପଣଙ୍କୁ ଶ୍ରଦ୍ଧା କରେ, ତାହା ନୁହେଁ; ମୁଁ ଜାଣେ ଆପଣ ପବିତ୍ର ହୃଦୟ ସାଧୁ ପୁରୁଷ। ଆପଣ କେବଳ ମୋହର ଶ୍ରଦ୍ଧା ଆକର୍ଷଣ କରିଅଛନ୍ତି ତାହା ନୁହେଁ, ସେହି ଶ୍ରଦ୍ଧା ସଙ୍ଗେ ଆନ୍ତରିକ ଭକ୍ତି ମଧ୍ୟ ଆକର୍ଷଣ କରିଅଛନ୍ତି।“ ପଲ୍ଲୀକବି ନନ୍ଦକିଶୋର ବଳ ଓ ବ୍ୟାସକବି ଫକୀର ମୋହନଙ୍କ ସହ ମଧ୍ୟ ଗଙ୍ଗାଧରଙ୍କ ଅନାବିଳ ସାରସ୍ବତ ସମ୍ପର୍କ ଥିଲା। ଗଙ୍ଗାଧରଙ୍କ ‘ଇନ୍ଦୁମତି’ ପଢ଼ି ନନ୍ଦକିଶୋର ମନ୍ତବ୍ୟ ଦେଇଥିଲେ- ‘କିନ୍ତୁ ତୁମେ ଦୀନକବି ରହିବ ଜୀବିତ, ଯେତେଦିନ ଥିବ ଭବେ ଓଡ଼ିଆ ସାହିତ୍ୟ।’ ସୁଦୂର ବାଲେଶ୍ୱରରେ ଫକୀର ମୋହନ ଗଙ୍ଗାଧରଙ୍କ କବିତା ପଢ଼ିବାକୁ ଅପେକ୍ଷା କରିଥା’ନ୍ତି। ତାଙ୍କରି ଭାଷାରେ ‘କବିତାଗୁଡ଼ିକ ପଢ଼ି ମନ ମାନିଯାଏ, ଆଉ ସେ ଲେଖିବ ବୋଲି ବାଟ ଚାହିଁଥାଏ (ଉତ୍କଳ ଭ୍ରମଣ)’। ଉଭୟ ରାଧାନାଥ ଓ ଫକୀର ମୋହନଙ୍କ ମୃତ୍ୟୁରେ କବି ଗଙ୍ଗାଧର ଭାଙ୍ଗିପଡ଼ି ଲେଖିଛନ୍ତି ଦୁଇଟି କବିତା। ସାରସ୍ବତ ସମ୍ପର୍କର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି କବି ବ୍ରଜମୋହନ ପଣ୍ଡା ଓ ଗଙ୍ଗାଧରଙ୍କ ସମ୍ପର୍କ। ଗଙ୍ଗାଧରଙ୍କ ସାରସ୍ବତ କୃତି ବ୍ରଜମୋହନଙ୍କୁ ଏତେ ଅଭିଭୂତ କରିଥିଲା ଯେ ସେ ଥରେ ଲେଖିଥିଲେ, ”ଲୋକେ ତୀର୍ଥାଟନ କରନ୍ତି, ମାତ୍ର ମୁଁ ଆପଣଙ୍କୁ ତୀର୍ଥ ଜ୍ଞାନ କରେ। ସେହି ତୀର୍ଥରେ ମୋର ନିବାସ ସ୍ଥାପନ କରି କିପରି ନିଜକୁ ପବିତ୍ର ଓ ଚରିତାର୍ଥ କରନ୍ତି, ଏହି ମାତ୍ର ଅନ୍ତର୍ଗତ ବାସନା।“ (ପତ୍ର)। ବ୍ରଜମୋହନ ଗଙ୍ଗାଧରଙ୍କଠାରୁ ୨୭ ବର୍ଷ ସାନ। ତା’ ସତ୍ତ୍ୱେ ଗଙ୍ଗାଧର ବ୍ରଜମୋହନଙ୍କୁ ସମ୍ମାନ ଜଣାଉଥିଲେ। ତାଙ୍କ କବି ଜୀବନର ଚରମ କୃତିତ୍ୱ ‘ତପସ୍ବିନୀ’ର ସଂଶୋଧନ ନିମନ୍ତେ ସେ ବ୍ରଜମୋହନଙ୍କ ମନ୍ତବ୍ୟ ଜିଜ୍ଞାସା କରିଥିଲେ। ବ୍ରଜମୋହନ ତାଙ୍କୁ ଲେଖିଲେ ”ତପସ୍ବିନୀସ୍ଥ ଭାଷାକୁ ‘ଶ୍ୱେତସରସିଜ ଦୃଶା’ ନ କରି ବିକଚରାଜୀବ ଦୃଶା’ କଲେ ଭଲ ହେବ।“ ଗଙ୍ଗାଧର ତାଙ୍କର ପରାମର୍ଶ ଗ୍ରହଣ କରି ନେଇଥିଲେ। ସାରସ୍ବତ ସମ୍ପର୍କ ସାମାଜିକ ପଦପଦବୀ ବା ସ୍ଥିତି କିମ୍ବା ବୟସରେ ତାରତମ୍ୟ ଜନିତ ଭେଦଭାବକୁ ଅତିକ୍ରମ କରୁଥିଲା। ଲେଖକମାନଙ୍କ ମଧ୍ୟରେ ଈର୍ଷା ବା ପରଶ୍ରୀକାତରତା ନ ଥିଲା। ମାତ୍ର ସେହି ସାରସ୍ବତ ସମ୍ପର୍କ ଆଜି ଆଉ ଦେଖିବାକୁ ମିଳୁନାହିଁ। ସାରସ୍ବତ ସମ୍ପର୍କରେ ପ୍ରବେଶ କରିଛି ଅସୂୟାଭାବ ଓ ଏହା ବ୍ୟକ୍ତିଗତ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି।
ସମ୍ପ୍ରତି ମୋଟା ଅର୍ଥଯୁକ୍ତ ପୁରସ୍କାର ପ୍ରଚଳନ ଲେଖକମାନଙ୍କ ମଧ୍ୟରେ ରହିଥିବା ସାରସ୍ବତ ସମ୍ପର୍କକୁ ନଷ୍ଟ କରିଦେଇଛି। ଅନେକ ସମୟରେ ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣା ହେଲେ ତା’ର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠୁଛି। କେହି କେହି ଏହାକୁ ନେଇ ଅଦାଲତର ଆଶ୍ରୟ ନେଉଛନ୍ତି। ଅନେକେ କହୁଛନ୍ତି, ସାହିତ୍ୟ ଏକାଡେମୀ ପୁରସ୍କାର ପଛରେ ଲବି କାମ କରୁଛି। ପ୍ରକାଶ ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ପୁସ୍ତକ ‘ଫାର୍ସ ୨୦୧୦’ରେ ପରିବେଷିତ ବିଭୂତି ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ମହାନ୍ତି, ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ସାହିତି୍ୟକମାନଙ୍କ ପ୍ରବନ୍ଧଗୁଡ଼ିକରେ ଯେଭଳି ଆକ୍ଷେପ ଓ ପ୍ରତିଆକ୍ଷେପର ଆଲୋଚନା ହୋଇଛି, ସେଥିରୁ ସ୍ପଷ୍ଟ ହୁଏ ଯେ ସାରସ୍ବତ ସାଧକମାନଙ୍କ ମଧ୍ୟରେ ଆଉ ସଦ୍ଭାବ ଓ ପ୍ରୀତି ନାହିଁ। ରହିଛି ଦ୍ୱେଷ, ଈର୍ଷା ଓ ପରଶ୍ରୀକାତରତା। ଆମେ ଅନ୍ତତଃ ଆଶା କରିବା ଏହି ସାରସ୍ବତ ସମ୍ପର୍କ ହିଂସା ସ୍ତରକୁ ନ ପହଞ୍ଚୁ, ଠିକ୍‌ ଯେମିତି ଦିନେ ଏଜ୍‌ରା ପାଉଣ୍ଡ ଓ ଏବାରକ୍ରୋମ୍ବିଙ୍କ ମଧ୍ୟରେ ଘଟିଥିଲା। ଏହି ଦୁଇ ଲେଖକଙ୍କ ମଧ୍ୟରେ ଥିଲା ଅସହିଷ୍ଣୁତା। ଏବାରକ୍ରୋମ୍ବିଙ୍କ ମତରେ, ପାଉଣ୍ଡଙ୍କ କବିତା ଅସାର ବାଗାଡ଼ମ୍ବର। ଅନ୍ୟପକ୍ଷରେ ପାଉଣ୍ଡ କହୁଥାଆନ୍ତି, ଏବାରକ୍ରୋମ୍ବି ଜଣେ ମୂଢ଼ ବ୍ୟକ୍ତି। ଦିନେ ଉଭୟଙ୍କ ମଧ୍ୟରେ ବିତର୍କ ଏପରି ଏକ ପର୍ଯ୍ୟାୟକୁ ଗଲା ଯେ, ପାଉଣ୍ଡ ଏବାରକ୍ରୋମ୍ବିଙ୍କୁ ଏକ ଦ୍ୱନ୍ଦ୍ୱଯୁଦ୍ଧକୁ ଆହ୍ବାନ କଲେ। ଏବାରକ୍ରୋମ୍ବି କ୍ଷୀଣକାୟ ଥିବାରୁ ଦ୍ୱନ୍ଦ୍ୱଯୁଦ୍ଧର ଅସ୍ତ୍ର ମନୋନୟନ ଅଧିକାର ତାଙ୍କୁ ଦିଆଗଲା। ସେ ଘୋଷଣା କଲେ, ପରସ୍ପର ନିଜ ନିଜ ଅବିକ୍ରିତ ବହିଗୁଡ଼ିକୁ ନିକ୍ଷେପ କରିବେ ଜଣେ ଧରାଶାୟୀ ହେବା ପର୍ଯ୍ୟନ୍ତ। ସୁଖର କଥା, ଏହି ଦୁର୍ଭାବ ବିନିମୟ ଭିତରେ ଦ୍ୱନ୍ଦ୍ୱ ଯୁଦ୍ଧର ଅବସାନ ଘଟିଲା। ଉଭୟ ସାହିତି୍ୟକଙ୍କ ଗୁଣଗ୍ରାହୀମାନେ ଆଶ୍ୱସ୍ତ ହେଲେ। ଆଜି ସାହିତି୍ୟକମାନଙ୍କ ମଧ୍ୟରେ ମୁଣ୍ଡ ଟେକିଥିବା ଈର୍ଷା ବା ଅସୂୟା ଏପରି ସ୍ତରରେ ନ ପହଞ୍ଚୁ। ତେବେ ହେବ ସାହିତ୍ୟ ଜଗତର ମଙ୍ଗଳ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ,
ଟିଟିଲାଗଡ଼, ମୋ: ୭୦୦୮୩୬୯୯୨୦