ଖାଦ୍ୟ ପ୍ୟାକେଟରେ ‘୧୦୦%’ ଲେବଲ ମନା

ନୂଆଦିଲ୍ଲୀ,୩୧ା୫: ଭାରତର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଫୁଡ୍‌ ବିଜ୍‌ନେସ୍‌ ହାଉସ୍‌ଗୁଡ଼ିକ ଉପରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି। କମ୍ପାନୀଗୁଡ଼ିକ କୌଣସି ଖାଦ୍ୟ ପ୍ୟାକେଟ, ଲେବଲ୍‌ ଓ ବିଜ୍ଞାପନରେ ‘୧୦୦% ବିଶୁଦ୍ଧ’ ଦାବି କରିପାରିବେ ନାହିଁ ବୋଲି ଫୁଡ୍‌ ସିକ୍ୟୁରିଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଗୁରୁବାର ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ‘୧୦୦%’ ବୋଲି ଉଲ୍ଲେଖ କରାଯିବା ଦ୍ୱାରା ବଜାରରେ ସବୁ ଖାଦ୍ୟର ବିକ୍ରି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ତେବେ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ (ଏଫ୍‌ଏସ୍‌ଏସ୍‌) ଆଇନ ଓ ଏହାର କୌଣସି ନିୟମରେ ଏପରି ଅଭିବ୍ୟକ୍ତି ସମ୍ପର୍କରେ ଉଲ୍ଲେଖ ନାହିଁ। ଖାଦ୍ୟ ପ୍ୟାକେଟରେ ଏପରି ଲେବଲ ଲଗାଇ ବଜାରକୁ ଛଡ଼ାଯିବା ଦ୍ୱାରା ଉପଭୋକ୍ତା ତାକୁ ସତକୁ ସତ ୧୦୦ ପ୍ରତିଶତ ବିଶୁଦ୍ଧ ମନେକରି କିଣିନେଉଛନ୍ତି। ଯେଉଁ ପ୍ୟାକେଟରେ ଏପରି ଉଲ୍ଲେଖ କରାଯାଉ ନାହିଁ, ତାକୁ ଲୋକେ ୧୦୦% ଶୁଦ୍ଧ ଲେଖାଥିବା ଖାଦ୍ୟ ତୁଳନାରେ ନୂ୍ୟନ ମନେକରୁଛନ୍ତି। ଏପରି ଭାଷା ଏଫ୍‌ଏସ୍‌ଏସ୍‌ଏଆଇ ନିୟାମକର କୌଣସି ବୈଧାନିକ ଆବଶ୍ୟକତାକୁ ପୂରଣ କରୁ ନ ଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ପଡ଼ିବ ବୋଲି ଆଡ୍‌ଭାଇଜରିରେ କୁହାଯାଇଛି। ‘୧୦୦%’ ଲେବଲକୁ ପ୍ରଚଳିତ ଆଇନ ଅନୁସାରେ ବିଧିବଦ୍ଧ ଭାବେ ପରିଭାଷିତ ଓ ନିର୍ଦ୍ଧାରିତ ନ କରି ବ୍ୟବହାର କରିବା ମିଥ୍ୟା ବିଜ୍ଞାପନ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ଚେତାଇଦେଇଛନ୍ତି।
କେବଳ ଏତିକି ନୁହେଁ, ଦେଶର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଏଫ୍‌ଏସ୍‌ଏସ୍‌(ଆଡଭର୍ଟାଇଜିଂ ଆଣ୍ଡ୍‌ କ୍ଲେମ୍ସ) ରେଗୁଲେଶନ୍ସ, ୨୦୧୮: ସବ୍‌-ରେଗୁଲେଶନ୍‌ ୪(୧) ଏବଂ ୧୦(୭)ର ଅବତାରଣା କରି କମ୍ପାନୀଗୁଡ଼ିକୁ ସତର୍କ କରାଇଛନ୍ତି। ସବ୍‌-ରେଗୁଲେଶନ୍‌ ୪(୧) ଅନୁସାରେ ଖାଦ୍ୟ ଲେବଲ ବା ବିଜ୍ଞାପନର ଦାବିରେ ସମ୍ପୂର୍ଣ୍ଣ ସତ୍ୟତା ଓ ସ୍ପଷ୍ଟତା ରହିବା ଉଚିତ। ଉପଭୋକ୍ତାମାନେ ବଜାରରେ ଉପଲବ୍ଧ କେଉଁ ଖାଦ୍ୟ କିଣିବେ ତାକୁ ନେଇ ସମ୍ପୂର୍ଣ୍ଣ ରୂପେ ବିଭ୍ରାନ୍ତିମୁକ୍ତ ହୋଇପାରିବେ। ସେହିପରି ସବ୍‌-ରେଗୁଲେଶନ୍‌ ୧୦(୭) ଅନୁସାରେ ଅନ୍ୟ ଉତ୍ପାଦକୁ ନୂ୍ୟନ କରୁଥିବା କୌଣସି ଦାବି କିମ୍ବା ବିଜ୍ଞାପନ ପ୍ରସାର କରାଯାଇପାରିବ ନାହିଁ। ବିସ୍ତୃତ ଭାବେ ବିବରଣୀ ପ୍ରଦାନ ନ କରି କେବଳ ସଂଖ୍ୟାରେ ଉଲ୍ଳେଖ କରିବା ପ୍ରଚଳିତ ଆଇନର ଉଲ୍ଲଂଘନ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ଉକ୍ତ ନିର୍ଦ୍ଦେଶନାମାରେ କହିଛନ୍ତି।
ପ୍ରକାଶ ଯେ, ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଫ୍ରୁଟ୍‌ ଜୁସ୍‌ ପ୍ୟାକେଟରେ ‘୧୦୦% ଫ୍ରୁଟ୍‌ ଜୁସ୍‌’ ଉଲ୍ଳେଖକୁ ବାରଣ କରିଥିଲେ। ଏହା ଆଇନତଃ ଅନୁମତିଯୋଗ୍ୟ ନୁହେଁ ଏବଂ ମାର୍କେଟିଂ ପାଇଁ ବିଭ୍ରାନ୍ତିକର ବୋଲି ଉଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ। ୨୦୨୪ ଜୁନ୍‌ରେ ଡାବର ପକ୍ଷରୁ ଦାଖଲ ଏକ ପିଟିଶନର ଜବାବରେ ଏଫ୍‌ଏସ୍‌ଏସ୍‌ଏଆଇ ୧୦୦% ଦାବିକୁ ଖାରଜ କରିବା ସହ ବର୍ତ୍ତମାନ ପ୍ରଚଳିତ କୌଣସି ଆଇନରେ ଏପରି ବ୍ୟବସ୍ଥା ନ ଥିବା ଉଲ୍ଲେଖ କରିଥିଲେ।