ଦୁବାଇ,୬ା୩: ଆସନ୍ତା ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆର ପଲ ରିଫେଲ ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗଓ୍ବର୍ଥ ଅନ-ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ। ଏହି ମ୍ୟାଚ ଲାଗି ଶ୍ରୀଲଙ୍କାର ରଞ୍ଜନ ମାଦୁଗଲେଙ୍କୁ ମ୍ୟାଚ ରେଫରୀ ଭାବେ ନିଯୁକ୍ତ କରାଯାଇଛି।
ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ୫୮ ବର୍ଷୀୟ ରିଫେଲ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଅମ୍ପାୟର ଦାୟିତ୍ୱ ତୁଲାଇଥିଲେ। ଇଂଲଣ୍ଡର ପୂର୍ବତନ ବାମହାତୀ ସ୍ପିନର ୬୧ ବର୍ଷୀୟ ଇଲିଙ୍ଗଓ୍ବର୍ଥ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲର ପରିଚାଳନା ଦାୟିତ୍ୱରେ ଥିଲେ।
୪ ଥର ବର୍ଷର ଶ୍ରେଷ୍ଠ ଆଇସିସି ଅମ୍ପାୟାର ପୁରସ୍କାର ପାଇଥିବା ଇଲିଙ୍ଗଓ୍ବର୍ଥ ଭାରତରେ ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପ୍ ଓ ୨୦୨୪ ଟି୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚରେ ଅମ୍ପାୟରିଂ କରିଥିଲେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଗ୍ରୁପ ମ୍ୟାଚରେ ମଧ୍ୟ ସେ ଅମ୍ପାୟରିଂ କରିଥିଲେ।