କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର

ନୂଆଦିଲ୍ଲୀ,୧୫।୧୧: କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଦ୍ୱାରା ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରିବ। ସେହିପରି ଅନ୍ତର୍ଜାତୀୟ ଆଇନର ପାଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ୧୫ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେଇ ସେ ଦକ୍ଷିଣ ଚାଇନା ସାଗରରେ ବଢୁଥିବା ଉତ୍ତେଜନା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଠାରେ ଚାଇନାର ଦାଦାଗିରି ବଢୁଥିବାବେଳେ ଜୟଶଙ୍କର କାହାର ନାମ ନ ନେଇ ପ୍ରତିଟି ଦେଶର ସାର୍ବଭୌମତ୍ୱ ପ୍ରତି ସଚେତନ ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷିଣ ଚାଇନା ସାଗର ଅଞ୍ଚଳରେ ବିଶ୍ୱାସର ପ୍ରତିପାଳନ କରାଯାଉ ନ ଥିବା ସେ କହିଛନ୍ତି। କରୋନା ମହାମାରୀ ଦ୍ୱାରା ସମଗ୍ର ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ପ୍ରତିଟି ଦେଶ ମିଳିମିଶି କାମ କରିବାକୁ ଆଗେଇ ଆସିବା ଜରୁରୀ। ପରସ୍ପର ମଧ୍ୟରେ ରହିଥିବା ବିବାଦ ଭୁଲି ମହାମାରୀ ସଙ୍କଟର ମୁକାବିଲା କରିବା ଅପରିହାର୍ଯ୍ୟ ବୋଲି ଜୟଶଙ୍କର କହିଛନ୍ତି।

Share