ରେଗଡା ଗାଁର ଗୋଚର ଚିହ୍ନଟ ପ୍ରସଙ୍ଗ: ଜାତୀୟ ରାଜପଥ ଅବରୋଧ ପାଇଁ ଲୋକେ ସଜବାଜକ

କର୍ଲାମୁଣ୍ଡା,୧୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଗୋଚର ଜମି ଚିହ୍ନଟ ସହିତ ଜବରଦଖଲ କାରୀଙ୍କଠୁ ଗୋଚର ଜମିକୁ ହଟେଇବା ନେଇ ଗ୍ରାମବାସୀ ପକ୍ଷରୁ ଦାବି ଆରମ୍ଭ ହୋଇସାରିଛି। ଏହି କ୍ରମରେ ବ୍ଲକର ରେଗଡା ଗ୍ରାମବାସୀ ମଧ୍ୟ ଗୋଚର ଜମି ଚିହ୍ନଟ ଓ ଜବରଦଖଲ କାରିଙ୍କଠୁ ଉଚ୍ଛେଦ ପାଇଁ ବହୁ ପୂର୍ବରୁ କର୍ଲାମୁଣ୍ଡା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଗୋଚର ଜମି ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ ଘଟିବାରୁ ରେଗଡା ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରି ୧୭ରେ କୁଶୁର୍ଲା ଛକ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ଅଭିଯୋଗ ପତ୍ରରେ ଦର୍ଶାଇ ଥିଲେ। ଏହାର ସମାଧାନ କରିବା ପାଇଁ ଶନିବାର ରେଗଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଭବାନୀପାଟଣା ଉପ ଜିଲାପାଳ ପ୍ରଭାତ କୁମାର ପରିଡା, ତହସିଲଦାର ଅରୁଣ ବର୍ଗେ, ସରପଞ୍ଚ ଦୀପ୍ତି ମୟୀ ସାହୁ ପ୍ରମୁଖଙ୍କ ଉପସ୍ଥିତରେ ରେଗଡା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଧାନ ଚାଷ ଅମଳ ପରେ ଗୋଚର ଜମି ଚିହ୍ଟଟ କରାଯିବ ଓ ଏଥିପାଇଁ ଅତି ଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି କହି ଜାତୀୟ ରାଜପଥ ଅବରୋଧ ନ କରିବାକୁ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ଉକ୍ତ ଗାଁର ଦୁଇଶହ ଏକରରୁ ଊଦ୍ଧର୍‌ବ ଗୋଚର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ଚାଷଜମି କରି ଚାଷ କରି ମାଲେମାଲ ହେଉଥିବା ବେଳେ ଜନ ସାଧାରଣ ,ଗାଇ ଗୋରୁ,ଛେଳି ମେଣ୍ଡା ପ୍ରଭୂତି ପ୍ରଭାବିତ ହେଉଥିବା ନେଇ ଗ୍ରାମବାସୀମାନେ କର୍ଲାମୁଣ୍ଡା ତହସିଲଦାର, ରାଜସ୍ବ ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ। ଏନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ଏବେ ଚାଷ ସମୟ ଏଣୁ ଚାଷ ଅମଳ ପରେ ଗୋଚର ଜମି ଚିହ୍ନଟ ହେଇପାରିବ, ତଥାପି ଆମେ ବହୁତ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିଦେବୁ ବୋଲି କହିଛନ୍ତି।

Share