ବିପଦ ଆଶଙ୍କା କମାଅ

ନୂଆଦିଲ୍ଲୀ,୨୨ା୬: ବିମାନବନ୍ଦର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳରେ ପଶୁପକ୍ଷୀଙ୍କ ଉପସ୍ଥିତିକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଦୁଇଦିନ ପୂର୍ବରୁ ବିହାରର ପାଟନାରୁ ନୂଆଦିଲ୍ଲୀ ଯାଉଥିବା ଏକ ବିମାନରେ ପକ୍ଷୀ ମାଡ଼ ହୋଇ ଇଞ୍ଜିନରେ ନିଆଁ ଲାଗିଯିବାରୁ ଏହାକୁ ପାଟନା ଫେରାଇ ଅଣାଯାଇ ଜରୁରୀ ଅବତରଣ କରାଯାଇଥିଲା। ସେହିଦିନ ଗୁଆହାଟୀରୁ ଦିଲ୍ଲୀ ଯାଉଥିବା ଅନ୍ୟ ଏକ ବିମାନକୁ ମଧ୍ୟ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଆଗକୁ ବର୍ଷାଦିନ ଥିବାରୁ ବାର୍ଡ ହିଟ୍‌ ଆଶଙ୍କା ଅଧିକ ରହିଛି। ଏଭଳି ବିପଦ ଏଡ଼ାଇବା ଲାଗି ପଦକ୍ଷେପ ନେବାକୁ ଡିଜିସିଏ ସମସ୍ତ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଜଣାଇଛନ୍ତି। ବିମାନ ଉଡ଼ାଣ ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା ପଶୁପକ୍ଷୀଙ୍କ ପାଇଁ ବିମାନବନ୍ଦରଗୁଡ଼ିକ ସେମାନଙ୍କ ବିପଦ ପରିଚାଳନା ଯୋଜନାର ସମୀକ୍ଷା କରିବାକୁ ଡିଜିସିଏ ଯୁଗ୍ମ ମହାନିର୍ଦ୍ଦେଶକ ମନୀଷ କୁମାର ବିମାନବନ୍ଦର ପରିଚାଳକଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏଥିପାଇଁ ବିମାନବନ୍ଦର ପରିସର ଓ ଚତୁଃପାର୍ଶରେ ଘାସ ବଢ଼ିବାକୁ ନ ଦେବା, କୀଟନାଶକ ସିଞ୍ଚନ କରିବା, ପକ୍ଷୀ ଘଉଡ଼ାଇବା ଓ ଡରାଇବା ଉପକରଣ ଲଗାଇବାକୁ କୁହାଯାଇଛି। ଏଥିସହିତ ରନ୍‌ଓ୍ବେଗୁଡ଼ିକୁ ବାରମ୍ବାର ଅନୁଧ୍ୟାନ କରିବା ପାଇଁ ବିମାନବନ୍ଦର ଅପରେଟର ମାନଙ୍କୁ ପରାମର୍ଶ ଦିଆଯାଇଛି।