ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏବକାର ରଣନୀତି ପାଇଁ ଏକ ଉପଯୁକ୍ତ ପ୍ରତୀକ। ଇରାନ ବିରୋଧରେ ତାଙ୍କର ବେପରୁଆ ଓ ଅନ୍ୟାୟ ଯୁଦ୍ଧ ହେଉଛି ଏହାର ସ୍ପଷ୍ଟ ଦୃଷ୍ଟାନ୍ତ। କିନ୍ତୁ ତାଙ୍କ ପ୍ରଶାସନର କ୍ରିପ୍ଟୋକରେନ୍ସିଗୁଡ଼ିକର ଉତ୍ସାହଜନକ ଗ୍ରହଣୀୟତା ସୂକ୍ଷ୍ମ ତଥା ମନ୍ଥର ଗତିରେ ବୃଦ୍ଧି ପାଉଥିବା ଏକ ସମାନ ପ୍ରକାର ଆତ୍ମଘାତୀ ପ୍ରବୃତ୍ତିର ପରିପ୍ରକାଶ। ପାରମ୍ପରିକ ମୁଦ୍ରା ଭଳି କ୍ରିପ୍ଟୋକରେନ୍ସି ସାଧାରଣତଃ ବୈଧ ଟେଣ୍ଡର କିମ୍ବା ସରକାରୀ ସମର୍ଥିତ ନୁହେଁ। ସେଗୁଡ଼ିକର ମୂଲ୍ୟ ବିଶେଷକରି ବଜାର ଚାହିଦା ଉପରେ ନିର୍ଭର କରେ। ଏହାର ଅଧିକାଂଶ ଭାଗ ସେମାନଙ୍କର ଗୁପ୍ତ ଦେଣନେଣ ଏବଂ ନିୟାମକ, ଟିକସ ଓ ବୈଧ ପର୍ଯ୍ୟବେକ୍ଷଣକୁ ଅଣଦେଖା କରିବାର କ୍ଷମତା ଦ୍ୱାରା ପରିଚାଳିତ ହୋଇଥାଏ। ଲାଭ ପାଇଁ ଶେୟାର କାରବାରରେ ଜଡ଼ିତ ବ୍ୟକ୍ତଙ୍କ କାର୍ଯ୍ୟକଳାପ ଏହାକୁ ଅଧିକ ଅସ୍ଥିର କରିଥାଏ। ଏମାନଙ୍କ ସମେତ ଅପରାଧ ଏବଂ ଅନୈତିକ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତି କିମ୍ବା ସଂସ୍ଥାଗୁଡ଼ିକ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି।
ଟ୍ରମ୍ପ୍‌ ପୁନର୍ବାର ହ୍ବାଇଟ ହାଉସକୁ ଫେରିବା ପରେ ସେ କ୍ରିପ୍ଟୋ ଶିଳ୍ପର ପ୍ରମୁଖ ସମର୍ଥକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ସେ ପ୍ରମୁଖ କ୍ରିପ୍ଟୋ ନିବେଶକଙ୍କଠାରୁ ଅତ୍ୟଧିକ ନିର୍ବାଚନ ପାଣ୍ଠି ଗ୍ରହଣ କରିଛନ୍ତି ଏବଂ ଏଥିରେ ତାଙ୍କର ନିଜସ୍ବ ବ୍ୟବସାୟିକ ସ୍ବାର୍ଥ ରହିଥିବା ସ୍ପଷ୍ଟ ହୋଇଛି। ଟ୍ରମ୍ପଙ୍କ ପରିବାର ସଦସ୍ୟମାନେ ବିଭିନ୍ନ କ୍ରିପ୍ଟୋକରେନ୍ସି ଯୋଜନାଗୁଡ଼ିକରୁ ପାଖାପାଖି ୫ ବିଲିୟନ ଡଲାର ପାଇଥିବା ଜଣାପଡ଼ିଛି। ଏହିସବୁ ସ୍ବାର୍ଥକୁ ଆଗକୁ ବଢ଼ାଇବା ଲାଗି ଟ୍ରମ୍ପ ପ୍ରଶାସନ କ୍ରିପ୍ଟୋ ମାର୍କେଟକୁ ନିୟମ ମୁକ୍ତ କରିବା ସହ ଜିନିୟସ ଆକ୍ଟ ମାଧ୍ୟମରେ ଡଲାର ସହ ଯୋଡ଼ି ଏକ ସ୍ଥିର ମୂଲ୍ୟ ଜାରି ରଖିବା ପାଇଁ ଷ୍ଟେବଲକଏନକୁ ପ୍ରୋତ୍ସାହିତ କରିଛି। ଏହି ସମୟରେ ଟ୍ରମ୍ପ୍‌ ପ୍ରଶାସନ କ୍ରିପ୍ଟୋ ପାଇଁ ଅଧିକ ସ୍ଥାୟୀ ଓ ନିୟମ ନିୟନ୍ତ୍ରିତ ବିକଳ୍ପ ଭାବେ କେନ୍ଦ୍ରୀୟ ବ୍ୟାଙ୍କ୍‌ ଡିଜିଟାଲ କରେନ୍ସି(ସିବିଡିସି)କୁ ଅସ୍ବୀକାର କରିଛି, ଯାହାକୁ ଚାଇନା ଭଳି ଅନେକ ଦେଶ ଗ୍ରହଣ କରିସାରିଲେଣି।
ନିୟାମକ ନିରୀକ୍ଷଣକୁ ଦୁର୍ବଳ କରି ଏହିସବୁ ପଦକ୍ଷେପ ନୂଆ ବିତ୍ତୀୟ ସଙ୍କଟ ଆରମ୍ଭ କରିଛି। କ୍ରିପ୍ଟୋ କମ୍ପାନୀଗୁଡ଼ିକ ବିରୋଧରେ ଏପରି କି ସ୍ପଷ୍ଟ ଭାବେ ତ୍ରୁଟିଯୁକ୍ତ ମାମଲା ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରବର୍ତ୍ତନ ପଦକ୍ଷେପ ନିଆଯାଉନାହଁି। ଦୈନିକ ବ୍ୟବସାୟରେ ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ବିନିମୟ କୁହାଯାଉଥିବା ବିନାନ୍ସର ଟ୍ରମ୍ପଙ୍କ ପରିବାର ସହିତ ବ୍ୟବସାୟିକ ସମ୍ପର୍କ ରହିଥିବା ହେଉଛି ଏହାର ଏକ ବଡ଼ ପ୍ରମାଣ। ଏହାର ପ୍ରତିଷ୍ଠାତା ଛାଙ୍ଗ୍‌ପେଙ୍ଗ ଝାଓ ମନିଲଣ୍ଡରିଂକୁ ସହାୟତା କରିବା ଅପରାଧକୁ ସ୍ବୀକାର କରି ଚାରି ମାସ ଜେଲରେ ରହିଥିଲେ। କିନ୍ତୁ ଟମ୍ପ୍‌ ତାଙ୍କୁ କ୍ଷମା କରିଦେଇଥିଲେ। ଏହା ସମ୍ଭବତଃ କ୍ରିପ୍ଟୋ ସେକ୍ଟରର ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବା ସହ ନିବେଶ ସୁରକ୍ଷା ଓ ବିତ୍ତୀୟ ସ୍ଥିରତାକୁ ଦୁର୍ବଳ କରିଦେଇଛି। କ୍ରିପ୍ଟୋ କାର୍ଯ୍ୟକ୍ରମଙ୍କୁ ଟ୍ରମ୍ପ୍‌ଙ୍କ ସମର୍ଥନର ପରିଣାମ ବିତ୍ତୀୟ ମାର୍କେଟ ବାହାରେ ମଧ୍ୟ ପ୍ରତିଫଳିତ ହୋଇଛି। କ୍ରିପ୍ଟୋକରେନ୍ସିଗୁଡ଼ିକ ଏକ ବିକଳ୍ପ ବିତ୍ତୀୟ ଭିତ୍ତିଭୂମି ସୃଷ୍ଟି କରିଛି। ଅନ୍ୟ ଦେଶଗୁଡ଼ିକୁ ଧମକାଇବା ଲାଗି ଆମେରିକା ପ୍ରୟୋଗ କରୁଥିବା ଆର୍ଥିକ କଟକଣାରୁ ଉଧୁରିବା ଲାଗି ଏହାକୁ ବ୍ୟବହାର କରାଯାଇପାରେ। ସ୍ପଷ୍ଟତଃ କ୍ରିପ୍ଟୋକରେନ୍ସିଗୁଡ଼ିକର ବିସ୍ତାର ମଧ୍ୟ ଡଲାରର ବୈଶ୍ୱିକ ପ୍ରଭୁତ୍ୱ ପ୍ରତି ଏକ ବିପଦ। ଏହି ଦୃଷ୍ଟିରୁ କ୍ରିପ୍ଟୋକରେନ୍ସିଗୁଡ଼ିକ ଏକ ଭୂରାଜନୈତିକ ଓରୋବୋରୋସ ହୋଇଯାଇଛି। ସେସବୁର ପ୍ରମୁଖ ବିଶେଷତା, ଅସ୍ପଷ୍ଟତା ଆମେରିକାର ବିରୋଧୀଙ୍କୁ ମଧ୍ୟ ବ୍ୟାପକ ଲାଭ ପହଞ୍ଚାଇଛି। କେବଳ ୨୦୨୫ରେ, କ୍ରିପ୍ଟୋକରେନ୍ସିର ଅବୈଧ କାରବାର ୧୬୦% ବୃଦ୍ଧିପାଇଥିଲା। ବିଶେଷକରି ରୁଷିଆ, ଇରାନ ଏବଂ ଉତ୍ତରକୋରିଆ ଭଳି ଦେଶଗୁଡ଼ିକରେ ଏହା ଘଟିଛି। ଡଲାରର ମୂଲ୍ୟକୁ ଜାରି ରଖିବା ପାଇଁ ଡିଜାଇନ କରାଯାଇଥିବା ଷ୍ଟେବଲ୍‌କଏନକୁ ଟ୍ରମ୍ପ ପ୍ରଶାସନର ସହଯୋଗ ଏହି ଧାରାକୁ ଆହୁରି ଗତିଶୀଳ କରିଦେଇଛି।
ଏହି ସୁଯୋଗରୁ ଲାଭ ଉଠାଇବାରେ ରୁଷିଆ ହେଉଛି ପ୍ରଥମ ଦେଶ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କ ଆସେଟକୁ ଅଚଳ କରିଦେବା ପରେ ରୁଷିଆ ଆର୍ଥିକ ପ୍ରତିବନ୍ଧକରୁ ବଞ୍ଚିବା ଲାଗି କ୍ରିପ୍ଟୋକରେନ୍ସି ବିନିମୟ ଆଡକୁ ମୁହଁାଇଲା। କାଜିକସ୍ତାନ ଭଳି ମଧ୍ୟସ୍ଥ ମାଧ୍ୟମରେ ଏହା ସମ୍ବେଦନଶୀଳ ସାମଗ୍ରୀଗୁଡ଼ିକର ପୁନଃ ରପ୍ତାନିକୁ ସୁଗମ କରି ୟୁକ୍ରେନ୍‌ରେ ମୁତୟନ କରାଯାଇଥିବା କମ୍‌ ମୂଲ୍ୟର ମିଲିଟାରୀ ଡ୍ରୋନ୍‌ କିଣିବା ପାଇଁ ପାଣ୍ଠି ଯୋଗାଇଥିଲା। ଏହାପରେ ଏହି ଦୃଷ୍ଟିକୋଣକୁ ଔପଚାରିକ ରୂପ ଦେବାରେ ଆଗକୁ ବଢ଼ିଛି। ଜୁଲାଇ ୨୦୨୪ରେ ରୁଷିଆନ ଡୁମା ବା ରୁଷିଆ ପାର୍ଲାମେଣ୍ଟ ଅନ୍ତଃରାଷ୍ଟ୍ରୀୟ କାରବାରରେ ଏହାର ବ୍ୟବହାରକୁ ବୈଧ କରିଥିଲା। ଏହାର ଏକ ମାସ ପରେ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ କ୍ରିପ୍ଟୋ ମାଇନିଂର ବୈଧିକରଣ ସମ୍ପର୍କରେ ଘୋଷଣା କରିଥିଲେ, ଯାହାକୁ ଟ୍ରମ୍ପ ପ୍ରଶାସନ ନିଜ ଦେଶରେ ପ୍ରୋତ୍ସାହିତ କରିଛନ୍ତି। ସମାନ ପ୍ରକାର ଗତିଶୀଳତା ମଧ୍ୟ ଏବେ ଇରାନରେ ଘଟୁଛି। ଫେବୃଆରୀ ଶେଷ ବେଳକୁ ଯେତେବେଳେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କଲେ ସେତେବେଳକୁ ଇରାନ ସରକାର ତାଙ୍କ କ୍ରିପ୍ଟୋକରେନ୍ସି ବ୍ୟବହାରକୁ ବ୍ୟାପକ କରିସାରିଥିଲେ। ଆକଳନ ଅନୁଯାୟୀ,୨୦୨୫ ସୁଦ୍ଧା ଏହାର କ୍ରିପ୍ଟୋକରେନ୍ସି ସେକ୍ଟର ୭.୮ ବିଲିୟନ ଡଲାରରେ ପହଞ୍ଚି ଯାଇଥିଲା। ଇସ୍‌ଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍ପସ୍‌ (ଆଇ୍‌ଆର୍‌ଜିସି) ସହ ଜଡ଼ିତ ସଂସ୍ଥାଗୁଡ଼ିକର ଭାଗ ମିଳିଥିବା ମୋଟ ପରିମାଣର ଅଧାରୁ ଅଧିକ ରହିଥିଲା।
ଏଇ ନିକଟରେ ହର୍ମୁଜ ଷ୍ଟ୍ରେଟକୁ ନିୟନ୍ତ୍ରଣରେ ରଖିବା ପାଇଁ ନେଇଥିବା ପଦକ୍ଷେପରେ ଇରାନ କ୍ରିପ୍ଟୋକରେନ୍ସିକୁ ମୁଖ୍ୟ କରିଛି। ସୁରକ୍ଷିତ ଭାବେ ଯିବା ପାଇଁ ସିପିଂ କମ୍ପାନୀଗୁଡ଼ିକୁ ତୈଳ ବ୍ୟାରେଲ ପିଛା ୧ ଆମେରିକୀୟ ଡଲାର ରେନ୍‌ମିନବି, ବିଟ୍‌କଏନ କିମ୍ବା ଟିଥର ଷ୍ଟେବଲ୍‌କଏନ ଦେବାକୁ ବାଧ୍ୟ କରିଛି। ଚଳିତ ମାସରେ ଗୋଟିଏ ଦିନରେ ୧୫-୧୮ଟି ଟ୍ୟାଙ୍କର ହର୍ମୁଜ ଷ୍ଟ୍ରେଟ ଅତିକ୍ରମ କରିଥିଲା ଏବଂ ଗୋଟଏ ଜାହାଜରୁ ପାଖାପାଖି ୨ ମିଲିୟନ ଡଲାର ହିସାବରେ ସଙ୍କଟରେ ଥିବା ଇରାନ ସରକାରଙ୍କୁ ଆନୁମାନିକ ୩୬ ମିଲିୟନ ଡଲାର ମିଳିଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ, ରଣନୈତିକ ସାମୁଦ୍ରିକ ଅବରୋଧ କ୍ଷେତ୍ର ଏବେ କ୍ରିପ୍ଟୋକରେନ୍ସି କାରବାରର କେନ୍ଦ୍ର ପାଲଟି ଯାଇଛି। ଏଥିରୁ କିଛି କାରବାର ଚାଇନାର ଜଷ୍ଟିନ ସନଙ୍କ ଦ୍ୱାରା ବିକଶିତ ଟ୍ରୋନ୍‌ ବକ୍‌ଚେନରେ ହେଉଥିବା ଜଣାପଡ଼ିଛି; ଯେଉଁଥିରେ ମାତ୍ର ୩ ସେକେଣ୍ଡରୁ କମ୍‌ ସମୟରେ ଦେୟ ଶେଷ ହୋଇପାରୁଛି। ଟ୍ରୋନ୍‌ର ମଧ୍ୟ ଟ୍ରମ୍ପଙ୍କ ପରିବାର ସହ ଜଡ଼ିତ କମ୍ପାନୀଗୁଡ଼ିକ ସହିତ ସମ୍ପର୍କ ରହିଛି।
ମୋଟ ଉପରେ ଏହିସବୁ ବିକାଶ ଏକ ବଡ଼ ପରିବର୍ତ୍ତନକୁ ସୂଚିତ କରୁଛି। କ୍ରିପ୍ଟୋ ଫାଇନାନ୍ସରଙ୍କ ଦ୍ୱାରା ଗଢ଼ାଯାଇଥିବା ତଥା ନୂତନତ୍ୱ ନାମରେ ଆପଣାଇ ନିଆଯାଇଥିବା ଆମେରିକାର ନୀତିଗୁଡ଼ିକୁ ବ୍ୟାପକ କରାଯାଇଛି। ଏସବୁ ମଧ୍ୟ ଆମେରିକାର କଟକଣାରୁ ବଞ୍ଚିବା ପାଇଁ ବ୍ୟବହାର କରାଯାଉଥିବା ଭିତ୍ତିଭୂମିକୁ ନୀତିଗତ ଭାବେ ବାଟ ଦେଖାଇଛି। ଏଭଳି ବିଡ଼ମ୍ବନାକୁ ଅଣଦେଖା କରିବା ଅସମ୍ଭବ। ଏକ କ୍ରୂର ଯୁଦ୍ଧ ମଧ୍ୟରେ ଫସିରହିଥିବା ଇରାନୀୟଙ୍କ ପାଇଁ ଏବଂ ସାରା ବିଶ୍ୱରେ ଶକ୍ତି ଓ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିର ସମ୍ମୁଖୀନ ହେଉଥିବା ସାଧାରଣ ଲୋକଙ୍କ ସକାଶେ ଏହାର ପରିଣାମ ଅତି ଗମ୍ଭୀର।

ଜୟତି ଘୋଷ
ପ୍ରାଧ୍ୟାପକ (ଅର୍ଥନୀତି), ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାସାଚ୍ୟୁସେଟସ୍‌ ଆମର୍ହଷ୍ଟ