ରେଷ୍ଟୁରାଣ୍ଟ ସହିତ ତଥ୍ୟ ଶେୟାର କରିବ Zomato: ବିପଦରେ ଗ୍ରାହକ ଗୋପନୀୟତା, ଘନେଇଲା ବିବାଦ

ନୂଆଦିଲ୍ଲୀ,୨୧।୧୧: ଫୁଡ୍ ଡେଲିଭରୀ କରୁଥିବା ବୃହତ ସଂସ୍ଥା ଜୋମାଟୋ ରେଷ୍ଟୁରାଣ୍ଟଗୁଡ଼ିକ ସହିତ ଗ୍ରାହକଙ୍କ ତଥ୍ୟ ଶେୟାର କରିବାକୁ ନିଷ୍ପତ୍ତି ନେବା ପରେ ଏହାକୁ ନେଇ ବଡ଼ ବିବାଦ ଦେଖାଦେଇଛି। ଜୋମାଟୋର ଏହି ପଦକ୍ଷେପ ତଥ୍ୟ ଗୋପନୀୟତା ଏବଂ ସମ୍ଭାବ୍ୟ ଅପବ୍ୟବହାରକୁ ନେଇ ରାଜନେତା ଓ ମାର୍କେଟିଂ ବିଶେଷଜ୍ଞଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି।

ବର୍ତ୍ତମାନ, ଜୋମାଟୋ ଓ ସ୍ୱିଗି ଭଳି ଫୁଡ୍ ଡେଲିଭରୀ ପ୍ଲାଟଫର୍ମଗୁଡ଼ିକ ଗ୍ରାହକଙ୍କ ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ରେଷ୍ଟୁରାଣ୍ଟଗୁଡ଼ିକଠାରୁ ଲୁଚାଇ ରଖିଥାନ୍ତି। ମାତ୍ର ବର୍ତ୍ତମାନ ଜୋମାଟୋ, ୫ ଲକ୍ଷରୁ ଅଧିକ ରେଷ୍ଟୁରାଣ୍ଟର ପ୍ରତିନିଧିତ୍ୱ କରୁଥିବା ‘ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଇଣ୍ଡିଆ’ (NRAI) ସହିତ ତଥ୍ୟ ଶେୟାର କରିବା ପାଇଁ ଆଲୋଚନାକୁ ଆଗେଇ ନେଉଛି। ପ୍ରତିଦ୍ୱନ୍ଦ୍ୱୀ ସ୍ୱିଗି ମଧ୍ୟ ସମାନ ଆଲୋଚନା କରୁଥିବା ଜଣାପଡ଼ିଛି।

ପାଇଲଟ୍ ପ୍ରୋଜେକ୍ଟ ଭାବରେ ଜୋମାଟୋ ଗ୍ରାହକମାନଙ୍କୁ ପପ୍-ଅପ୍ ମାଧ୍ୟମରେ ସେମାନଙ୍କ ଫୋନ୍ ନମ୍ବର ରେଷ୍ଟୁରାଣ୍ଟ ସହିତ ବାଣ୍ଟିବାକୁ ଅନୁମତି ମାଗୁଛି। ଅନୁମତି ଦେଲେ, ରେଷ୍ଟୁରାଣ୍ଟଗୁଡ଼ିକ ମାର୍କେଟିଂ ଏବଂ ପ୍ରୋମୋଶନାଲ ବାର୍ତ୍ତା ପାଇଁ ସିଧାସଳଖ ଯୋଗାଯୋଗ କରିପାରିବେ। ତେବେ ଥରେ ତଥ୍ୟ ଶେୟାର ହୋଇଗଲେ, ଗ୍ରାହକ ଏହାକୁ ଫେରାଇ ନେବାର ବିକଳ୍ପ ନାହିଁ।

ରେଷ୍ଟୁରାଣ୍ଟଗୁଡ଼ିକ ଦୀର୍ଘ ଦିନରୁ ଗ୍ରାହକ ତଥ୍ୟ ମାଗିଆସୁଛନ୍ତି। ରେଷ୍ଟୁରାଣ୍ଟ ସଂଘ (NRAI) ପୂର୍ବରୁ ଜୋମାଟୋ ଏବଂ ସ୍ୱିଗି ବିରୋଧରେ ‘ପ୍ରତିଯୋଗିତା ବିରୋଧୀ ଅଭ୍ୟାସ’ ଏବଂ ଅତ୍ୟଧିକ କମିଶନ (କିଛି କ୍ଷେତ୍ରରେ ୩୫% ପର୍ଯ୍ୟନ୍ତ) ନେଉଥିବା ଅଭିଯୋଗରେ ‘ଭାରତୀୟ ପ୍ରତିଯୋଗିତା ଆୟୋଗ’ (CCI) ନିକଟରେ ଅଭିଯୋଗ କରିଥିଲା। ରେଷ୍ଟୁରାଣ୍ଟଗୁଡ଼ିକର ମୁଖ୍ୟ ଦାବି ହେଉଛି, ଗ୍ରାହକଙ୍କ ସହ ସିଧାସଳଖ ଯୋଗାଯୋଗ ହେଲେ ସେମାନେ ଖାଦ୍ୟ ଖାଇବାର ଧାରା ବୁଝିପାରିବେ ଏବଂ ବ୍ୟକ୍ତିଗତ ଅଫର ଦେଇପାରିବେ।

ତେବେ ଜୋମାଟୋର ଏହି ନିଷ୍ପତ୍ତିକୁ ରାଜ୍ୟସଭା ଏମପି ମିଲିନ୍ଦ ଦେଓରା ଏବଂ ପ୍ରିୟଙ୍କା ଚତୁର୍ବେଦୀ (ସୂଚନା ପ୍ରଯୁକ୍ତିବିଦ୍ୟା ଷ୍ଟାଣ୍ଡିଂ କମିଟିର ସଦସ୍ୟ) ଦୃଢ଼ ବିରୋଧ କରିଛନ୍ତି।ମିଲିନ୍ଦ ଦେଓରା କହିଛନ୍ତି ଯେ, ଏହା ‘ଗୋପନୀୟତା ବିପଦ’ ଏବଂ ‘ସ୍ପାମ୍ ବାର୍ତ୍ତା’ ପାଇଁ ବାଟ ଖୋଲିବ। ନୂତନ ‘ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନିୟମ’ ଅନୁଯାୟୀ ସ୍ପଷ୍ଟ ‘ଅପ୍ଟ-ଇନ୍’ ନିର୍ଦ୍ଦେଶାବଳୀ ଆବଶ୍ୟକ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ, ପ୍ରିୟଙ୍କା ଚତୁର୍ବେଦୀ ଚେତାବନୀ ଦେଇଛନ୍ତି ଯେ ଏପରି ଏକତରଫା ନିଷ୍ପତ୍ତି ସଂସଦୀୟ ଯାଞ୍ଚ ପାଇଁ ଆମନ୍ତ୍ରଣ କରିବ। ମାର୍କେଟିଂ ବିଶେଷଜ୍ଞ ସୁହେଲ ସେଠ୍ ଏହି ପଦକ୍ଷେପକୁ ‘ସମ୍ପୂର୍ଣ୍ଣ ଅଗ୍ରାହ୍ୟ’ ବୋଲି କହିଛନ୍ତି।

ବିବାଦ ମଧ୍ୟରେ ଜୋମାଟୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଆଦିତ୍ୟ ମାଙ୍ଗଲା ଆଶ୍ୱାସନା ଦେଇଛନ୍ତି ଯେ, “ଯଦି ଓ ଯେତେବେଳେ ଗ୍ରାହକଙ୍କ ଅନୁମତି ମିଳିବ, କେବଳ ଫୋନ୍ ନମ୍ବର ହିଁ ରେଷ୍ଟୁରାଣ୍ଟ ସହିତ ଶେୟାର କରାଯିବ। ଅନ୍ୟ କୌଣସି ସୂଚନା ଶେୟାର କରାଯିବ ନାହିଁ।”

Share