ଇମ୍ରାନ୍‌ଙ୍କ ଦଳରେ ବିଦ୍ରୋହ: ପିଓକେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଇସ୍‌ଲାମାବାଦ,୧୬।୪: ଇମ୍ରାନ୍‌ ଖାନ୍‌ଙ୍କ ପ୍ରଧାନମନ୍ତ୍ରୀ ପଦ ଯିବା ପରେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ)କୁ ଆଉ ଏକ ଝଟ୍‌କା ଲାଗିଛି। ପାକ୍‌-ଅଧିକୃତ କଶ୍ମୀର (ପିଓକେ) ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବ୍‌ଦୁଲ କାୟୁମ୍‌ ନାଇଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାୟୁମ୍‌ଙ୍କ ବିରୋଧରେ ପିଟିଆଇରେ ବିଦ୍ରୋହ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗୁରୁବାର ଦଳୀୟ ଆଇନ ପ୍ରଣେତାମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏଥିରେ ସେ ପରାଜିତ ହୋଇଛନ୍ତି। ପିଟିଆଇର ଆଞ୍ଚଳିକ ମୁଖ୍ୟ ସର୍ଦ୍ଦାର ତନବୀର ଇଲ୍ୟାସଙ୍କୁ ନୂଆ ପ୍ରଧାନମନ୍ତ୍ରୀ କରାଯାଇପାରେ।