୨୦୦୯ର ସୁପରହିଟ୍ ‘୩ ଇଡିୟଟ୍ସ’ ଫିଲ୍ମରେ ଅଭିନେତା ଆମୀର ଖାନ୍ଙ୍କ ରାଞ୍ଚୋ ଚରିତ୍ର ଭିଡିଓ କଲ୍ କରି ଡାକ୍ତର ଚରିତ୍ର ନିର୍ବାହ କରୁଥିବା କରୀନା କପୁର ଖାନ୍ଙ୍କ ପରାମର୍ଶରେ କରୀନାଙ୍କ ବଡ଼ ଭଉଣୀଙ୍କ ପ୍ରସବ କରାଇଥିଲେ। ଠିକ୍ ଏହିପରି ଏକ ଘଟଣା ବାସ୍ତବ ଜୀବନରେ ମୁମ୍ବାଇର ରାମ ମନ୍ଦିର ରେଲ ଷ୍ଟେଶନରେ ଦେଖିବାକୁ ମିଳିଛି। ଉକ୍ତ ଷ୍ଟେଶନରେ ଜଣେ ଭିଡିଓ କ୍ୟାମେରାମ୍ୟାନ ଡାକ୍ତରଙ୍କୁ ଭିଡିଓ କଲ୍ କରି ଜଣେ ମହିଳାଙ୍କ ପ୍ରସବ କରାଇଛନ୍ତି। ରାମ ମନ୍ଦିର ରେଳ ଷ୍ଟେଶନରେ ବୁଧବାର ରାତି ଗୋଟାଏ ବେଳେ ଜଣେ ମହିଳାଙ୍କୁ ପ୍ରସବ ପୀଡ଼ା ହୋଇଥିଲା। ପେସାରେ ଭିଡିଓ କ୍ୟାମେରାମ୍ୟାନ ହୋଇଥିବା ବିକାଶ ଦିଲୀପ ବେନ୍ଦ୍ରେ(୨୭) ନାମକ ଜଣେ ସହଯାତ୍ରୀ ସମୟ ନଷ୍ଟ ନ କରି ତୁରନ୍ତ ଟ୍ରେନ୍ର ଏମର୍ଜେନ୍ସି ଚେନ୍କୁ ଟାଣି ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ସେ ଜଣେ ମହିଳା ଡାକ୍ତରଙ୍କ ସହ ଭିଡିଓ କଲ୍ରେ ପ୍ରସବ ପୀଡ଼ା ଭୋଗୁଥିବା ମହିଳାଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ମହିଳା ଡାକ୍ତର ଜଣଙ୍କ ଭିଡିଓ କଲ୍ରେ ପ୍ରସବ ନିମନ୍ତେ ବିଭିନ୍ନ ଉପାୟ କହିଥିଲେ, ଯାହାକୁ ବିକାଶ ପୂରଣ କରି ଚାଲିଥିଲେ। ବିକାଶ ସାହସର ସହ ଡାକ୍ତରଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରି ମହିଳାଙ୍କୁ ସୁରକ୍ଷିତ ପ୍ରସବ କରାଇଥିଲେ। ମହିଳା ଜଣଙ୍କ ଜଣେ ସୁସ୍ଥ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଆମ୍ବୁଲାନ୍ସ ଆସିବା ପରେ ମହିଳା ଓ ତାଙ୍କ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ ନିଆଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି। ବିକାଶଙ୍କୁ ରିଅଲ ଲାଇଫ୍ ରାଞ୍ଚୋ ବୋଲି କହି ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା କରିଛନ୍ତି।