ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ। ଭାରତ ଖେଳୁନଥିବା ସତ୍ତ୍ୱେ କୋଲକାତା ଓ ଚେନ୍ନାଇ ଭଳି ସହରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଷ୍ଟାଡିୟମ୍ ଖାଲି ରହିବ ବୋଲି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ପ୍ରଶଂସକମାନେ ପ୍ରମାଣ କରିଛନ୍ତି ଯେ, ସେମାନେ କେବଳ ଭାରତ ପାଇଁ ନୁହେଁ, ବରଂ କ୍ରିକେଟ୍ର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଷ୍ଟାଡିୟମକୁ ଆସୁଛନ୍ତି।
ରବିବାର ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବନାମ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ କୌଣସି “ଇଣ୍ଡିଆ ଫ୍ୟାକ୍ଟର” ନଥିଲେ ମଧ୍ୟ ୨୦,୦୦୦ରୁ ଅଧିକ ଦର୍ଶକ ଉପସ୍ଥିତ ରହି ଖେଳର ମଜା ନେଇଥିଲେ। ଏହି ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ନିଜର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଆଫଗାନିସ୍ତାନକୁ ୫ ଉଇକେଟ୍ରେ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି।
ସେହିପରି କୋଲକାତାର ଇଡେନ ଗାର୍ଡେନ୍ସରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସୁରକ୍ଷା କାରଣରୁ ବାଂଲାଦେଶ ଓହରି ଯିବା ପରେ ୱେଷ୍ଟଇଣ୍ଡିଜ୍ ବନାମ ସ୍କଟଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। କୌଣସି ବଡ଼ ପ୍ରତିଦ୍ୱନ୍ଦ୍ୱିତା ନଥିଲେ ବି ପ୍ରାୟ ୧୯,୦୦୦ ଦର୍ଶକ ଷ୍ଟାଡିୟମକୁ ଆସିଥିଲେ। ଏହି ମ୍ୟାଚରେ ଶିମ୍ରନ୍ ହେଟମାୟରଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍ ବଳରେ ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚ୍ରେ ଏକ ବଡ଼ ବିଜୟ ହାସଲ କରିଛି।
ଚଳିତ ବିଶ୍ୱକପ୍ରେ ୨୦ଟି ଦଳ ଅଂଶଗ୍ରହଣ କରୁଥିବାରୁ ଅଧିକାଂଶ ମ୍ୟାଚ୍ ନିରପେକ୍ଷ ରହିଛି। ଭାରତ ବନାମ ପାକିସ୍ତାନ ମ୍ୟାଚ୍ ନଥିଲେ ବି ଭାରତୀୟ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ଏହା ପ୍ରମାଣ କରୁଛି ଯେ, ବିଶ୍ୱକପ୍ର ମର୍ଯ୍ୟାଦା ଏବଂ ଭଲ କ୍ରିକେଟ୍ ପାଇଁ ପ୍ରଶଂସକ ସବୁବେଳେ ପ୍ରସ୍ତୁତ।