ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା କରାଯାଇଛି। ମୋଟ ୨୨୨ଜଣ ଛାତ୍ରୀଛାତ୍ର ନିଜ ନାମ ପଞ୍ଜିକରଣ କରି ଚକ୍ଷୁ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରେ ୧୧୩ ଜଣ ଦୃଷ୍ଟିଶକ୍ତିରେ ସମସ୍ୟା ଥିବାରୁ ସେମାନଙ୍କୁ ଚିକିତ୍ସା କରାଯିବା ସହ ଚଷମା ବ୍ୟବହାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।
ସେହିପରି ଜଣେ ଛାତ୍ରଙ୍କ ଦୃଷ୍ଟିଶକ୍ତିରେ ଅଧିକା ଜଟିଳ ପରିଲକ୍ଷିତ ହୋଇଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ପରାମର୍ଶ ଦେଇଥିଲେ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ ଏବଂ ଚକ୍ଷୁ ବିଜ୍ଞାନୀ ସୁଶ୍ରୀ ଅର୍ଚ୍ଚନା ସ୍ବାଇଁ ଚକ୍ଷୁ ପରୀକ୍ଷା କରିଥିଲେ।
ପ୍ରକାଶ ଯେ, ଛାତ୍ରୀଛାତ୍ରଙ୍କ ଅଧ୍ୟୟନରେ ଦୃଷ୍ଟିଶକ୍ତି ବାଧକ ଯେମିତି ସାଜିବ ନାହିଁ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଏହି ବ୍ୟବସ୍ଥା କରାଯାଇଛି। ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ କ୍ଲଷ୍ଟରରେ ଏହି ଚିକିତ୍ସା କରାଯାଇ ଆବଶ୍ୟକ ମାଗଣା ଚିକିତ୍ସା ସହ ଚଷମା ଯୋଗାଇ ଦିଆଯାଉଛି। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ରଶ୍ମିତା ସେନାପତି ପରିଚାଳନା କରିଥିବା ବେଳେ ଜିଲା ଅନ୍ତେବାସୀ ସଂଯୋଗକ ସମର ରଞ୍ଜନ ବେହେରାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ସମେତ ଗ୍ରୀନବାଡି, ସିର୍କାବର୍ଗ, ଦନେକବାଡି କ୍ଲଷ୍ଟରର ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ।
Dharitri – Odisha’s No.1 Odia Daily