ବିଶ୍ୱ ସମୁଦାୟର ପ୍ରତିକ୍ରିୟା

ଦୁବାଇ/ପ୍ୟାରିସ୍‌,୨୩ା୬: ଇରାନ ଓ ଇସ୍ରାଏଲ୍‌ ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ସମ୍ପୃକ୍ତ ହେବା ଦ୍ୱାରା ଆଞ୍ଚଳିକ ସଂଘର୍ଷ ଆହୁରି ବଢ଼ିପାରେ ବୋଲି ବିଭିନ୍ନ ଦେଶ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେମାନେ ଆମେରିକାକୁ ସତର୍କ କରାଇବା ସହ କୂଟନୈତିକ ସ୍ତରରେ ଯୁଦ୍ଧ ବନ୍ଦ ଲାଗି ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ଯୁଦ୍ଧରେ ଆମେରିକା ସାମିଲ ହେବ କି ନାହିଁ ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର କହିବାର ୨ ଦିନ ପରେ ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଶକ୍ତିଶାଳୀ ବୋମାମାଡ଼ କରିଛି। ଏହି ଆକ୍ରମଣରେ ଇରାନର କେତେ କ୍ଷୟକ୍ଷତି ହୋଇଛି, ତାହା ସ୍ପଷ୍ଟ ହୋଇ ନ ଥିଲାବେଳେ ଇସ୍ରାଏଲ ସହ ଯୁଦ୍ଧରେ ସାମିଲ ହେଲେ ଏହାର ଜବାବ ଦିଆଯିବ ବୋଲି ତେହରାନ କହିଛି।
ଆମେରିକାର ବୋମା ଆକ୍ରମଣ ଆଞ୍ଚଳିକ ଦ୍ୱନ୍ଦ୍ୱ ବଢ଼ାଇବ ବୋଲି ଲେବାନନ୍‌ ରାଷ୍ଟ୍ରପତି ଜୋସେଫ୍‌ ଅଉନ୍‌ କହିବା ସହ ବୁଝାମଣା ପାଇଁ ଆହ୍ବାନ ଦେଇଛନ୍ତି। ଇସ୍ରାଏଲ୍‌ ଏବଂ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ଯୁଦ୍ଧ ପରେ ଲେବାନନ୍‌ର ନୂଆ ନେତୃତ୍ୱ ଦେଶଗୁଡ଼ିକୁ ବିବାଦ ମଧ୍ୟକୁ ନିଜକୁ ନ ଟାଣିବାକୁ ଏବଂ ଦୀର୍ଘବର୍ଷର ଆର୍ଥତ୍କ ସଙ୍କଟରୁ ମୁକୁଳିବାକୁ ଆହ୍ବାନ ଦେଇଛନ୍ତି। ଯୁଦ୍ଧରୁ ହେବାକୁ ଥିବା କୌଣସି ପ୍ରକାର ସମ୍ଭାବ୍ୟ ଆଞ୍ଚଳିକ ପ୍ରଭାବରୁ ଲେବାନନ ଦୂରେଇ ରହିବା ଆବଶ୍ୟକ ବୋଲି ଏହାର ପ୍ରଧାନମନ୍ତ୍ରୀ ନଓ୍ବାଫ୍‌ ସଲାମ କହିଛନ୍ତି।
ଆମେରିକା ନିଜର ସାମରିକ ଶକ୍ତିକୁ ବ୍ୟବହାର କରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଏହି ଯୁଦ୍ଧ ଖୁବ୍‌ଶୀଘ୍ର ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ, ଯାହାର ଧ୍ୱଂସାତ୍ମକ ପରିଣାମ ସଭ୍ୟତା, ଅଞ୍ଚଳ ଏବଂ ବିଶ୍ୱ ଉପରେ ପଡ଼ିବ ବୋଲି ଗୁଟେରେସ୍‌ ଏକ୍ସ’ରେ ଲେଖିଛନ୍ତି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉତ୍ତେଜନା ହ୍ରାସ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସଙ୍କଟର କୂଟନୈତିକ ପରିସମାପ୍ତି ପାଇଁ ଇରାନ ବୁଝାମଣା ଟେବୁଲ୍‌କୁ ଫେରିବା ନିମନ୍ତେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ଆହ୍ବାନ ଦେଇଛନ୍ତି। ଅସ୍ଥିର ଅଞ୍ଚଳରେ ସ୍ଥିରତା ପ୍ରଥମ ଆବଶ୍ୟକତା ବୋଲି ସେ କହିଛନ୍ତି। ଗତ ସପ୍ତାହରେ ୟୁରୋପୀୟ ସଂଘ, ଫ୍ରାନ୍ସ ଓ ଜର୍ମାନୀ ଜେନେଭାରେ ଇରାନ ସହ କୂଟନୈତିକ ସମାଧାନ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ଇରାନର ଆଣବିକ କାର୍ଯ୍ୟକ୍ରମ ବିଶ୍ୱ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରିଥିବା ଷ୍ଟାର୍ମର କହିଛନ୍ତି। ସେହିପରି ସମସ୍ତ ପକ୍ଷ ଆଲୋଚନାକୁ ଫେରିବା ପାଇଁ ନ୍ୟୁଜିଲାଣ୍ଡ ବହିର୍ବ୍ୟାପାର ମନ୍ତ୍ରୀ ଓ୍ବିନ୍‌ଷ୍ଟନ ପିଟର୍ସ ଆହ୍ବାନ ଦେଇଛନ୍ତି।
ଆମେରିକାର ଆକ୍ରମଣକୁ ହମାସ୍‌ ଏବଂ ହୁଟି ବିଦ୍ରୋହୀମାନେ ନିନ୍ଦା କରିଛନ୍ତି। ଆମେରିକାର ଆକ୍ରମଣ ବିରୋଧରେ ଇରାନକୁ ସହାୟତା କରିବାକୁ ହୁଟି ପ୍ରତିଶ୍ରୁତି ଦେଇଛି। ଇହୁଦୀ-ଆମେରିକୀୟ ଅହଙ୍କାର ବିରୋଧରେ ଏକାଠି ଜିହାଦ ଓ ପ୍ରତିରୋଧ ବିକଳ୍ପରେ ସାମିଲ ହେବାରୁ ହୁଟି ପଲିଟିକାଲ ବ୍ୟୁରୋ ମୁସଲମାନ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ ଦେଇଛି।
ଇରାନ ଅଣୁଅସ୍ତ୍ର ବିକାଶ ବନ୍ଦ କରିବାକୁ ହେବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା କହିବା ସହ ଯଥାଶୀଘ୍ର ସମ୍ଭବ ସ୍ଥିତିକୁ ଶାନ୍ତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛନ୍ତି। ୨ ଦିନ ପୂର୍ବରୁ ତେହରାନରେ ନିଜର ଦୂତାବାସ ବନ୍ଦ କରିବା ସହ କର୍ମଚାରୀମାନଙ୍କୁ ଫେରାଇ ନେଇଥିବା ଅଷ୍ଟ୍ରେଲିଆ କୂଟନୀତି ଜରିଆରେ ଯୁଦ୍ଧ ଅବସାନ ପାଇଁ ପ୍ରସ୍ତାବ ଦେଇଛି। ଇରାନର ଆଣବିକ ଓ ବାଲିଷ୍ଟିକ୍‌ ମିଶାଇଲ କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ପାଇଁ ବିପଦ ବୋଲି ଅଷ୍ଟ୍ରେଲିଆ କହିଛି। ସେହିପରି ୩ ଆଣବିକ କେନ୍ଦ୍ର ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଫ୍ରାନ୍ସ ଚିନ୍ତବ୍ୟକ୍ତ କରିଛି। ଆମେରିକାର ଆକ୍ରମଣରେ ଫ୍ରାନ୍ସ ସାମିଲ ନ ଥିଲା ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଜିନ୍‌-ନୋଏଲ ବାରୋଟ୍‌ କହିଛନ୍ତି।