ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ଆରଡି କଲେଜ କ୍ୟାସବୁକ, ଉପସ୍ଥାନ ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର
ଯାଞ୍ଚ କରିଥିଲେ।

ଏଥିସହ ଉପସ୍ଥାନ ଖାତାର ନକଲ ଆର୍‌ଡି ନେଇଥିବା ଜଣାପଡିଛି । ଆର୍‌ଡି ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଯାଇଥିଲେ। ସେଠାରେ ସମସ୍ତ ବିଭାଗ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଗୁଣାତ୍ମକ ଶିକ୍ଷାର ବିକାଶ କିଭଳି ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଆର୍‌ଡି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ତା’ପରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେଠାରୁ ବ୍ରହ୍ମପୁର ଅଭିମୁଖେ ଫେରିଯାଇଥିବା ଜଣାପଡିଛି। ଆର୍‌ଡି ଦାୟିତ୍ୱ ନେବାପରେ ଏହା ତାଙ୍କର ପ୍ରଥମ ଭଞ୍ଜନଗର କଲେଜ ଗସ୍ତ। ଆର୍‌ଡିଙ୍କ ଅଚାନକ ଗସ୍ତ ପରେ
କଲେଜ ଚଳଚଞ୍ଚଳ ହୋଇପଡିଛି। ଆର୍‌ଡିଙ୍କ ଗସ୍ତ ସମୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ ସ୍ମିତା ରାଣୀ ପଣ୍ଡା, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଦିଲୀପ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।