ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ ଥର ପାଇଁ ଟାଇଟଲ୍ ହାସଲ କରିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB ପୁଣିଥରେ ନିଜର ଦବଦବା ପ୍ରମାଣିତ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପୁଣିଥରେ ଫାଇନାଲ୍ରେ ଭାଗ୍ୟ ସାଥ୍ ଦେଇନାହିଁ।
ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଏହା WPL ଫାଇନାଲ୍ ଇତିହାସରେ ସର୍ବାଧିକ ଦଳଗତ ସ୍କୋର। ଅଧିନାୟିକା ଜେମିମା ରୋଡ୍ରିଗ୍ସ ମାତ୍ର ୩୭ ବଲରେ ୫୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଲୌରା ଉଲଭାର୍ଡ (୪୪) ଏବଂ ଚିନେଲ ହେନେରୀ (୩୫*) ଦ୍ରୁତ ବ୍ୟାଟିଂ କରି ଦଳକୁ ୨୦୦ ପାର୍ କରାଇଥିଲେ।
୨୦୪ ରନର କଷ୍ଟକର ଲକ୍ଷ୍ୟକୁ ପିଛା କରି RCB ଆରମ୍ଭରୁ ଗୋଟିଏ ୱିକେଟ୍ ହରାଇଥିଲେ ମଧ୍ୟ ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ଜର୍ଜିଆ ଭୋଲ୍ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ RCBକୁ ବିଜୟ ପଥରେ ଆଗେଇ ନେଇଥିଲା। ଶେଷ ଓଭରରେ ରାଧା ଯାଦବ ଲଗାତାର ଦୁଇଟି ଚୌକା ମାରି ୧୯.୪ ଓଭରରେ ଦଳକୁ ବିଜୟୀ କରାଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ପରାଜୟ ଅତ୍ୟନ୍ତ କଷ୍ଟଦାୟକ ଥିଲା, କାରଣ ଏହା ଦଳର ଲଗାତାର ଚତୁର୍ଥ ଫାଇନାଲ୍ ପରାଜୟ। ୨୦୨୩ରୁ ଆରମ୍ଭ କରି ୨୦୨୬ ପର୍ଯ୍ୟନ୍ତ ଦଳ ପ୍ରତିଥର ଫାଇନାଲରେ ପହଞ୍ଚି ମଧ୍ୟ ଟ୍ରଫି ଛୁଇଁବାରେ ବିଫଳ ହୋଇଛି।