ବେଙ୍ଗାଲୁର,୨୮।୩: ଆଇପିଏଲ୍ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ ସ୍ମରଣୀୟ ବିଜୟ ହାସଲ କରି ଇତିହାସ ରଚିଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦୦ରୁ ଅଧିକ ରନ ସଂଗ୍ରହ କରିଥିଲେ ମଧ୍ୟ ବିରାଟ କୋହଲି ଓ ଦେବଦତ୍ତ ପଡିକ୍କଲଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଏହି ଟାର୍ଗେଟ ଫିକା ପଡ଼ିଯାଇଥିଲା।
ଏହି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୨୦୧ ରନ ସଂଗ୍ରହ କରିଥିଲା। ଅଧିନାୟକ ଇଶାନ କିଷନ ମାତ୍ର ୩୮ ବଲ୍ଷର ୮୦ ରନ୍ର ଏକ ଦ୍ରୁତ ଇନିଂସ ଖେଳିଥିଲେ, ଯେଉଁଥିରେ ୮ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ଅନ୍ୟପଟେ ଅନିକେତ ବର୍ମା (୪୩ ରନ୍) ଏବଂ ହେନ୍ରିକ କ୍ଲାସେନ (୩୧ ରନ) ମଧ୍ୟ ଉପଯୋଗୀ ଅବଦାନ ଦେଇଥିଲେ।
ଆରସିବି ପକ୍ଷରୁ ବୋଲିଂରେ ଜ୍ୟାକବ ଡଫି ଚମତ୍କାର ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୨୨ ରନ ଦେଇ ୩ଟି ଉଇକେଟ ଅଖତିୟାର କରିଥିଲେ। ରୋମାରିଓ ଶେଫର୍ଡ ମଧ୍ୟ ୩ଟି ସଫଳତା ପାଇଥିଲେ।
ଜବାବରେ ୨୦୨ ରନ୍ର ପିଛା କରୁଥିବା ଆରସିବିର ଆରମ୍ଭ ସାମାନ୍ୟ ଦୁର୍ବଳ ଥିଲେ ମଧ୍ୟ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ପଡ଼ିଆକୁ ଓହ୍ଲାଇଥିବା ଦେବଦତ୍ତ ପଡିକ୍କଲ ଖେଳର ମୋଡ଼ ବଦଳାଇ ଦେଇଥିଲେ। ସେ ମାତ୍ର ୨୬ ବଲ୍ରେ ୭ଟି ଚୌକା ଓ ୪ଟି ଛକା ସହାୟତାରେ ୬୧ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ।
ତାଙ୍କ ବ୍ୟତୀତ ବିରାଟ କୋହଲି ୩୮ ବଲ୍ରେ ୫ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୬୯ ରନ ସଂଗ୍ରହ କରି ଦଳକୁ ବିଜୟ ଦ୍ୱାରଦେଶରେ ପହଞ୍ଚାଇଥିଲେ। ଅଧିନାୟକ ରଜତ ପାଟିଦାର ମଧ୍ୟ ୧୨ ବଲ୍ରେ ୩୧ ରନ୍ର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଫଳରେ ଆରସିବି ମାତ୍ର ୧୫.୪ ଓଭରରେ ୪ ଉଇକେଟ ହରାଇ ୨୦୩ ରନ କରିବା ସହ ୬ ଉଇକେଟରେ ବିଜୟୀ ହୋଇଥିଲା।
ଆଇପିଏଲ ଇତିହାସରେ ଆରସିବି ପ୍ରଥମ ଥର ପାଇଁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୯୦ରୁ ଅଧିକ ରନ୍ର ଟାର୍ଗେଟ୍କୁ ସଫଳତାର ସହ ଚେଜ୍ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହ ଆରସିବି ନିଜର ୨୦୨୬ ଅଭିଯାନ ଅତି ଦମଦାର ଭାବେ ଆରମ୍ଭ କରିଛି।
Dharitri – Odisha’s No.1 Odia Daily