ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ୟଶ ଦୟାଲ ସମ୍ପୂର୍ଣ୍ଣ ସିଜିନରୁ ବାଦ ପଡ଼ିଛନ୍ତି । ଆରସିବି ନିର୍ଦ୍ଦେଶକ ମୋ ବୋବାଟ୍ ଏହି ଘଟଣା ନିଶ୍ଚିତ କରିଛନ୍ତି। ଉଲ୍ଲେଖନୀୟ ଯେ ଜୋଶ୍ ହାଜେଲଉଡ୍ ଅନୁପସ୍ଥିତିରେ ଆରସିବି ପୂର୍ବରୁ ଏକ ବଡ଼ ଝଟକା ପାଇଥିଲା; ହାଜେଲଉଡ୍ ପୂର୍ବରୁ କିଛି ମ୍ୟାଚରୁ ବାଦ ପଡ଼ିଛନ୍ତି ।
ୟଶ ଦୟାଲଙ୍କ ସମ୍ପର୍କରେ, RCB ନିର୍ଦ୍ଦେଶକ ମୋ ବୋବାଟ କହିଛନ୍ତି ଯେ ସେ ଏହି ସିଜନରେ ଦଳ ପାଇଁ ଖେଳିବେ ନାହିଁ । ବ୍ୟକ୍ତିଗତ କାରଣରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତଥାପି, RCB ଏପର୍ଯ୍ୟନ୍ତ ତାଙ୍କ ବଦଳରେ କାହାକୁ ଘୋଷଣା କରିନାହିଁ । ଏବେ ଦେଖିବା ବାକି ରହିଲା ଯେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ୍ ୟଶ ଦୟାଲଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ସୁଯୋଗ ଦେଉଛି କି ନାହିଁ। ୟଶ ଦୟାଲ ଗତ ସିଜନରେ RCB ପାଇଁ ଭଲ ବୋଲିଂ କରିଥିଲେ, ମୋଟ ୧୩ୱିକେଟ୍ ନେଇଥିଲେ।
ଗତ କିଛି ଦିନ ଧରି, ୟଶ ଦୟାଲଙ୍କ ସମ୍ପର୍କରେ ବିଭିନ୍ନ ରିପୋର୍ଟ ପ୍ରସାରିତ ହେଉଥିଲା। ସେ ଚଳିତ ସିଜିନ୍ ପାଇଁ ଏପର୍ଯ୍ୟନ୍ତ RCB ଦଳର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ନଥିଲେ। ଫଳସ୍ୱରୂପ, ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଅଂଶଗ୍ରହଣକୁ ନେଇ ସନ୍ଦେହ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ତଥାପି, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ମାତ୍ର ଚାରି ଦିନ ପୂର୍ବରୁ, RCBର ନିର୍ଦ୍ଦେଶକ ନିଶ୍ଚିତ କରିଥିଲେ ଯେ ତାଙ୍କୁ ସମଗ୍ର ସିଜିନ୍ ପାଇଁ ବାଦ୍ ଦିଆଯାଇଛି।
IPL ୨୦୨୬ର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ୨୮ମାର୍ଚ୍ଚରେ RCBର ହୋମ ଗ୍ରାଉଣ୍ଡ, ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସିଜନରେ, RCB ନିଜର ଟାଇଟଲ ରକ୍ଷା କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ।