ସିରାଜଙ୍କୁ ଟିମ୍‌ରୁ କାହିଁକି ରିଲିଜ କଲା RCB? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୨୩।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମ ପୂର୍ବରୁ ଏହାର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ରିଲିଜ କରିଛି। ଏବେ ଦଳ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛି। ଆରସିବିର କ୍ରିକେଟ ନିର୍ଦ୍ଦେଶକ ମୋ ବୋବାଟ ଏହି ନିଷ୍ପତ୍ତି ପଛରେ ଥିବା ରଣନୀତି ସମ୍ପର୍କରେ ଖୁଲାସା କରିଛନ୍ତି।  ସିରାଜ ଗତ ସାତ ବର୍ଷ ଧରି ଆରସିବି ସହ ଜଡ଼ିତ ଥିଲେ ଏବଂ ତାଙ୍କର ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଥିଲା। ବର୍ତ୍ତମାନ ସେ ଗୁଜରାଟ ଟାଇଟନ୍ସ ଦଳର ଅଂଶ ହୋଇଛନ୍ତି।
ଆରସିବିର କ୍ରିକେଟ ନିର୍ଦ୍ଦେଶକ ବୋବାଟ କହିଛନ୍ତି ଯେ ଦଳର ଲକ୍ଷ୍ୟ ଥିଲା ଏକ ସନ୍ତୁଳିତ ଓ ଶକ୍ତିଶାଳୀ ବୋଲିଂ ଲାଇନଅପ ପ୍ରସ୍ତୁତ କରିବା, ଯାହା ବିଭିନ୍ନ ପରିସ୍ଥିତିରେ ପ୍ରଭାବଶାଳୀ ହେବ। ଭୁବନେଶ୍ୱର କୁମାରଙ୍କୁ ଦଳରେ ଅଣାଯିବାର ଇଚ୍ଛା ଥିଲା, କାରଣ ତାଙ୍କର ଅଭିଜ୍ଞତା ଓ ସ୍ବିଂ ବୋଲିଂ କଳା ଆରସିବିର ରଣନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ହେଲେ ସିରାଜଙ୍କୁ ରିଟେନ କରିବା ଦ୍ୱାରା ଭୁବନେଶ୍ୱରଙ୍କୁ ଦଳରେ ଅଣାଯିବା କଷ୍ଟକର ହୋଇଯାଇଥାନ୍ତା। କାରଣ ନିଲାମରେ ବଜେଟ ଓ ଖେଳାଳିଙ୍କ ଅଗ୍ରାଧିକାରକୁ ସନ୍ତୁଳନ କରିବା ଜରୁରୀ ଥିଲା।
କ୍ରିକବଜକୁ ଦେଇଥିବା ସାକ୍ଷାତକାରରେ ବୋବାଟ କହିଛନ୍ତି, ସିରାଜ ସମ୍ଭବତଃ ସେହି ଖେଳାଳି, ଯାହାଙ୍କ ବିଷୟରେ ଆମେ ସବୁଠାରୁ ଅଧିକ ଚିନ୍ତା କରିଥିଲୁ। ଭାରତୀୟ ଆନ୍ତର୍ଜାତୀୟ ବୋଲର ଏତେ ସହଜରେ ମିଳନ୍ତି ନାହିଁ। ଆମେ ସିରାଜଙ୍କ ସହ ପ୍ରତ୍ୟେକ ସମ୍ଭାବ୍ୟ ପରିସ୍ଥିତି ଉପରେ ଆଲୋଚନା କରିଥିଲୁ  ତାଙ୍କୁ ରିଟେନ କରାଯିବ କି, ମୁକ୍ତ କରାଯିବ କିମ୍ବା ରାଇଟ ଟୁ ମ୍ୟାଚ ବ୍ୟବହାର କରାଯିବ। ଏହା କୌଣସି ସରଳ ନିଷ୍ପତ୍ତି ନଥିଲା। ଆମେ ଭୁବିଙ୍କୁ ଇନିଂସର ଉଭୟ ପାଳିରେ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲୁ। ସିରାଜଙ୍କୁ ରଖିବା ଦ୍ୱାରା ଏହା କଷ୍ଟକର ହୋଇପଡ଼ିଥାନ୍ତା। ଏହା ପଛରେ କୌଣସି ଏକମାତ୍ର କାରଣ ନାହିଁ, ଅନେକ କାରଣ ଏଥିରେ ଭୂମିକା ନିର୍ବାହ କରିଛି।
ଏହା ସହିତ ବୋବାଟ ଆହୁରି ଖୁଲାସା କରିଛନ୍ତି ଯେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ କେବଳ ଆଘାତ କାରଣରୁ ରିଟେନ କରାଯାଇ ନ ଥିଲା। ସେ କହିଛନ୍ତି, ଯଦି ସେ ସୁସ୍ଥ ଥାନ୍ତେ, ଆମେ ତାଙ୍କୁ ପ୍ରାୟ ନିଶ୍ଚିତ ଭାବେ ରିଟେନ କରିଥାନ୍ତୁ। ଏହି ନିଷ୍ପତ୍ତି ଆରସିବି ପାଇଁ ଏକ ରଣନୀତିକ ପଦକ୍ଷେପ ହୋଇଥିବା ବେଳେ, ସିରାଜଙ୍କ ରିଲିଜ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ସମସ୍ତଙ୍କ ନଜର ଗୁଜରାଟ ଟାଇଟନ୍ସରେ ସିରାଜଙ୍କ ପ୍ରଦର୍ଶନ ଏବଂ ଆରସିବିର ନୂଆ ବୋଲିଂ ରଣନୀତି ଉପରେ ରହିଛି।