RBI’ର ନୂଆ ନିୟମ: ମୃତ ଆକାଉଣ୍ଟଧାରୀଙ୍କ ଟଙ୍କା ଉଠାଇବା ହେବ ସହଜ

ମୁମ୍ବାଇ,୨୯।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୃତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରିବାର ପାଇଁ ଦାବି ନିଷ୍ପତ୍ତି ପ୍ରକ୍ରିୟାକୁ ସହଜ ଓ ଦ୍ରୁତ କରିବାକୁ ନୂଆ ନିୟମ ଘୋଷଣା କରିଛି।

ନୂଆ ନିୟମ ଅନୁଯାୟୀ, ବ୍ୟାଙ୍କଗୁଡ଼ିକୁ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟ ଓ ଲକର ସମ୍ବନ୍ଧୀୟ ଦାବି ୧୫ ଦିନ ମଧ୍ୟରେ ନିଷ୍ପତ୍ତି କରିବାକୁ ହେବ। ବିଳମ୍ବ ହେଲେ ନମିନିଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ। ବ୍ୟାଙ୍କଗୁଡ଼ିକ ନମିନି କିମ୍ବା ଜୀବିତ ଆଇନଗତ ଉତ୍ତରାଧିକାରୀଙ୍କଠାରୁ ସାର୍ଟିଫିକେଟ୍‌ କିମ୍ବା ଇଣ୍ଡେମ୍ନିଟି ବଣ୍ଡ ମାଗିପାରିବେ ନାହିଁ।

ନମିନି ବା ଉଇଲ ନଥିଲେ:
ଯଦି ନମିନି କିମ୍ବା ଉଇଲ ନାହିଁ, ତେବେ କୋ-ଅପରେଟିଭ୍‌ ବ୍ୟାଙ୍କଗୁଡ଼ିକ ୫ ଲକ୍ଷ ଟଙ୍କା ଓ ଅନ୍ୟ ବ୍ୟାଙ୍କଗୁଡ଼ିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି ନିଷ୍ପତ୍ତି କରିପାରିବେ। ଏଥିପାଇଁ ଦାବିଦାରଙ୍କୁ ଆରବିଆଇର ସରଳ ଫର୍ମ, ମୃତ୍ୟୁ ପ୍ରମାଣପତ୍ର, ପରିଚୟ ପ୍ରମାଣ ଓ ଇଣ୍ଡେମ୍ନିଟି ବଣ୍ଡ ଦାଖଲ କରିବାକୁ ହେବ। ଅନ୍ୟ ଆଇନଗତ ଉତ୍ତରାଧିକାରୀଙ୍କଠାରୁ ନୋ-ଅବଜେକ୍ସନ୍‌ କିମ୍ବା ପରିବାରକୁ ଜଣାଶୁଣା ବ୍ୟକ୍ତିଙ୍କ ଦ୍ୱାରା ଆରବିଆଇ ଫର୍ମାଟ୍‌ରେ ଘୋଷଣା ଆବଶ୍ୟକ।

ତେବେ ଅଧିକ ଦାବି ପାଇଁ ଉତ୍ତରାଧିକାରୀଙ୍କ ସାର୍ଟିଫିକେଟ୍‌ କିମ୍ବା ନୋଟାରୀ/ଜଜ୍‌ ସମ୍ମୁଖରେ ଶପଥପତ୍ର ଦାଖଲ କରିବାକୁ ହେବ। ଉଇଲ ଥିଲେ କିମ୍ବା ବିବାଦ ହେଲେ, କୋର୍ଟ ନିର୍ଦ୍ଦେଶ (ଯେମିତି ପ୍ରୋବେଟ୍‌, ଉତ୍ତରାଧିକାରୀ ସାର୍ଟିଫିକେଟ୍‌) ଆଧାରରେ ଦାବି ନିଷ୍ପତ୍ତି ହେବ। କୋର୍ଟ ନିଷେଧାଦେଶ ଥିଲେ ପେମେଣ୍ଟ ବନ୍ଦ ରହିବ।

ଆରବିଆଇ ମୃତ ଖାତାଧାରୀଙ୍କ ଟର୍ମ ଡିପୋଜିଟ୍‌ ଅକାଳରେ ବନ୍ଦ କରିବାକୁ ବିନା ଜରିମାନାରେ ଅନୁମତି ଦେଇଛି। ଏହି ନୂଆ ନିୟମ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଲାଗୁ ହେବ। ଏହା ପରିବାରର ଚାପ କମାଇ ବ୍ୟାଙ୍କ ପ୍ରକ୍ରିୟାକୁ ସହଜ କରିବ।

Share