ମୁମ୍ବାଇ,୨୭ା୧୧: ଋଣ ନେଉଥିବା ଲୋକଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)। ଏପ୍ରିଲ୍ ୨୦୨୬ ଠାରୁ ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ମାସକୁ ଦୁଇଥର ବଦଳରେ ପ୍ରତି ୭ ଦିନରେ ଥରେ ଅପଡେଟ୍ ହେବ। ଏହି ପରିବର୍ତ୍ତନ ଦ୍ୱାରା ଆପଣଙ୍କ ଆର୍ଥିକ କାରବାରର ପ୍ରଭାବ କ୍ରେଡିଟ୍ ରିପୋର୍ଟରେ ଅଧିକ ଶୀଘ୍ର ଦେଖାଯିବ।
ଆରବିଆଇ “କ୍ରେଡିଟ୍ ସୂଚନା ରିପୋର୍ଟ (ପ୍ରଥମ ସଂଶୋଧନ) ନିର୍ଦ୍ଦେଶନା, 2025” ଅନୁଯାୟୀ ସମସ୍ତ କ୍ରେଡିଟ୍ ଇନଫରମେସନ୍ କମ୍ପାନୀ (CICs) ଗୁଡ଼ିକ ଏଣିକି ପ୍ରତି ମାସର ୭, ୧୪, ୨୧, ୨୮ ତାରିଖ ଏବଂ ମାସର ଶେଷ ଦିନରେ ଋଣଗ୍ରହୀତାଙ୍କ ତଥ୍ୟ ଅପଡେଟ୍ କରିବେ।
ବ୍ୟାଙ୍କ ଓ NBFC ଗୁଡ଼ିକ ମାସକୁ ଥରେ ସମ୍ପୂର୍ଣ୍ଣ ରେକର୍ଡ ଦେବେ। କିନ୍ତୁ ଏହି ସମୟ ମଧ୍ୟରେ କୌଣସି ନୂଆ ଋଣ, କାର୍ଡ ପ୍ରଦାନ, ଖାତା ବନ୍ଦ, କିସ୍ତି ପରିଶୋଧ କିମ୍ବା ଋଣ ବର୍ଗୀକରଣରେ ପରିବର୍ତ୍ତନ ହେଲେ, ସେଗୁଡ଼ିକର ତଥ୍ୟ ବ୍ୟାଙ୍କଗୁଡ଼ିକୁ ପ୍ରତି ସପ୍ତାହରେ ଦାଖଲ କରିବାକୁ ପଡ଼ିବ।
ଏହି ସାପ୍ତାହିକ ଅପଡେଟ୍ ବ୍ୟବସ୍ଥା ଦ୍ୱାରା ଋଣ ଆବେଦନକାରୀଙ୍କୁ ଅନେକ ଲାଭ ମିଳିବ। ଯେପରିକି ଯଦି କେହି ବକେୟା ପରିଶୋଧ କରନ୍ତି କିମ୍ବା ରିପୋର୍ଟରେ ଥିବା ତ୍ରୁଟି ଦୂର କରନ୍ତି, ତେବେ ସକାରାତ୍ମକ ପରିବର୍ତ୍ତନ ବହୁତ ଶୀଘ୍ର ଦେଖାଯିବ। ଋଣ ପାଇଁ ଆବେଦନ କରିବା ପୂର୍ବରୁ ଆଉ ପାକ୍ଷିକ ଅପଡେଟ୍ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କ୍ରେଡିଟ୍ ସ୍କୋର ସୁଧାରିଥିବା ଲୋକମାନେ ବହୁତ କମ୍ ସମୟରେ ଋଣ ଉପରେ କମ୍ ସୁଧ ହାର ପାଇପାରିବେ। ପୂର୍ବରୁ ଅନିୟମିତତା କରିଥିବା ଗ୍ରାହକମାନେ ଶୀଘ୍ର ସେମାନଙ୍କ ସ୍କୋରକୁ ସୁଧାରି ପାରିବେ।
ଏହି ନୂତନ ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କ ଏବଂ CIC ଗୁଡ଼ିକର ଦାୟିତ୍ୱ ବଢ଼ିଯିବ। ପ୍ରତି ସାପ୍ତାହିକ କଟ୍-ଅଫ୍ ତାରିଖର ଦୁଇ ଦିନ ମଧ୍ୟରେ ଅପଡେଟ୍ ତଥ୍ୟ ଦାଖଲ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ ଆଭ୍ୟନ୍ତରୀଣ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ। ଯଦି କୌଣସି ବ୍ୟାଙ୍କ ଠିକ୍ ସମୟରେ ତଥ୍ୟ ଦାଖଲ ନ କରେ, ତେବେ CIC କୁ RBIର DAKSH ପୋର୍ଟାଲ୍ରେ ବିଳମ୍ବକୁ ରିପୋର୍ଟ କରିବାକୁ ପଡ଼ିବ। ସାପ୍ତାହିକ କ୍ରେଡିଟ୍ ସ୍କୋର ଅପଡେଟ୍ ବ୍ୟବସ୍ଥା ଫଳରେ ଋଣ ଏବଂ କ୍ରେଡିଟ୍ କାର୍ଡ ପାଇବା ସିଧାସଳଖ ଜଣେ ବ୍ୟକ୍ତିର ସର୍ବଶେଷ ଆର୍ଥିକ କାରବାର ଉପରେ ନିର୍ଭର କରିବ।