ସରକାରଙ୍କୁ ୨.୧୧ ଲକ୍ଷ କୋଟିର ରେକର୍ଡ ଡିଭିଡେଣ୍ଡ ଅନୁମୋଦନ କଲା ଆରବିଆଇ

ମୁମ୍ବାଇ,୨୨ା୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାୟ ୨.୧୧ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ଅନୁମୋଦନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୪୦% ବୃଦ୍ଧି ଘଟିଛି। ଆର୍ଥିକ ବର୍ଷ ୨୩ ରେ, ଆରବିଆଇ ଅତିରିକ୍ତ ଭାବରେ କେନ୍ଦ୍ରକୁ ୮୭,୪୧୬ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।

ମୁମ୍ବାଇରେ ଅନୁଷ୍ଠିତ କେନ୍ଦ୍ରୀୟ ବୋର୍ଡର ୬୦୮ ତମ ବୈଠକରେ ବୋର୍ଡ ବିଶ୍ୱ ତଥା ଘରୋଇ ଅର୍ଥନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲା, ଯେଉଁଥିରେ ସମ୍ଭାବ୍ୟ ବିପଦ ମଧ୍ୟ ରହିଛି। ଏଥିସହିତ ବୋର୍ଡ ସରକାରଙ୍କୁ ୨.୧୧ ଲକ୍ଷ କୋଟି ଟଙ୍କା ବଳକା ରଶି ପ୍ରଦାନ କରିବାକୁ ନିଷ୍ପତି ନେଇଛି।

ଆରବିଆଇ କହିଛି, ମାକ୍ରୋ-ଅର୍ଥନୈତିକ ସ୍ଥିତି ଏବଂ କରୋନା ମହାମାରୀର ପ୍ରଭାବ କାରଣରୁ ୨୦୧୮-୧୯ ରୁ ୨୦୨୧-୨୨ ମଧ୍ୟରେ ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ ର ୫.୫୦ ପ୍ରତିଶତରେ କଣ୍ଟିଜେନ୍ସି ରିସ୍କ ବଫର୍ (ସିଆରବି) ବଜାୟ ରଖି ଅଭିବୃଦ୍ଧି ଏବଂ ସାମଗ୍ରିକ ଅର୍ଥନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି।

ଅବଶ୍ୟ, ଆର୍ଥିକ ବର୍ଷ ୨୩ରେ ଅର୍ଥନୈତିକ ଅଭିବୃଦ୍ଧି ସହିତ (ସିଆରବି) କୁ ୬% କୁ ବୃଦ୍ଧି କରାଯାଇଥିଲା। ଏବେ ଆର୍ଥିକ ବର୍ଷ ୨୪ ପାଇଁ, ଏହା ଆହୁରି ୬.୫% କୁ ବୃଦ୍ଧି କରାଯାଇଛି, ଯାହା ଅର୍ଥନୀତିର ନିରନ୍ତର ଦୃଢ଼ତା ଏବଂ ସ୍ଥିରତାକୁ ପ୍ରତିଫଳିତ କରୁଛି।

“ଯେହେତୁ ଅର୍ଥନୀତି ଦୃଢ ଏବଂ ସ୍ଥିର ରହିଛି, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସିଆରବି’କୁ ୬.୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏହା ପରେ ବୋର୍ଡ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ୨,୧୦,୮୭୪ କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଅନୁମୋଦନ କରିଥିବା ଆରବିଆଇ କହିଛି।

ପୂର୍ବରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ ଆର୍ଥିକ ବର୍ଷ ୨୪ ପାଇଁ ସରକାରଙ୍କୁ ୧ ଲକ୍ଷ କୋଟିରୁ ଅଧିକ ଡିଭିଡେଣ୍ଡକୁ ଆରବିଆଇ ଅନୁମୋଦନ କରିବ।