ଉତ୍ତରାଖଣ୍ଡରେ ରାୟଗଡ଼ା ଯୁବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ

ରାୟଗଡ଼ା,୭।୧୧ (ଆଶିଷ ରଞ୍ଜନ ପଣ୍ଡା): ଉତ୍ତରାଖଣ୍ଡରେ ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ଏକ ନଦୀରେ ଫିଙ୍ଗି ଦିଆଯାଇଥିଲା। ଉତ୍ତରାଖଣ୍ଡ ଲାଲପୁର ଥାନା ପୋଲିସ ଗୁରୁବାର ଅପରାହ୍ନରେ ନଦୀରୁ ମୃତଦେହ ଜବତ କରିଛି। ହତ୍ୟା ଅଭିଯୋଗରେ ପୋଲିସ ମୃତ ଯୁବତୀ ରହୁଥିବା ଘର ମାଲିକଙ୍କ ପୁଅ ଅମିତ ସିଂହଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରର ସୃଷ୍ଟି ଶର୍ମା(୨୩) ଉତ୍ତରାଖଣ୍ଡର ଲାଲ୍‌ପୁରସ୍ଥିତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ତାଙ୍କର ଇଣ୍ଟର୍ନସିପ ଟ୍ରେନିଂ କରିବାକୁ ଯାଇଥିଲେ। ସେ ଲାଲ୍‌ପୁରର ଭାରତୀୟମ ଇଣ୍ଟରନ୍ୟାଶନାଲ ସ୍କୁଲ ପଛରେ କାମେଶ୍ୱର ସିଂହଙ୍କ ଏକ ଘରକୁ ଭଡ଼ା ନେଇ ରହୁଥିଲେ। ତେବେ ମଙ୍ଗଳବାର ଅପରାହ୍ନରୁ ସୃଷ୍ଟିଙ୍କ ଫୋନ ବନ୍ଦ ଥିବାବେଳେ ଜେକେପୁରଠାରେ ଥିବା ତାଙ୍କ ପରିବାର ଯେତେ ଚେଷ୍ଟା କରିଥିଲେ ବି ସୃଷ୍ଟିଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିଲା। ସୃଷ୍ଟିଙ୍କ ପରିବାର ଲୋକ ଘର ମାଲିକ କାମେଶ୍ୱର ସିଂହଙ୍କୁ ଯୋଗାଯୋଗ କରିବାରୁ ସେମାନେ ବାହାରେ ଥିବାରୁ ସୃଷ୍ଟିଙ୍କ ବିଷୟରେ ଜାଣି ନ ଥିବା କହିଥିଲେ। ପରେ ଘର ମାଲିକଙ୍କ ପୁଅ ଅମିତଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହାପରେ ସୃଷ୍ଟିଙ୍କ ସମ୍ପର୍କୀୟ ଭାଇ ଅମୃତ କୁମାର ତାଙ୍କ ବନ୍ଧୁ ସୁରଜ ଏବଂ ମନୀଷଙ୍କ ସହିତ ଲାଲ୍‌ପୁରରେ ପହଞ୍ଚତ୍ ଥାନାରେ ସୃଷ୍ଟିଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ। ସେମାନେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନ କରି ଘର ମାଲିକ କାମେଶ୍ୱର ସିଂହଙ୍କ ଘରର ବିପରୀତରେ ଥିବା ପୂର୍ବତନ ଜିଲା ପଞ୍ଚାୟତ ସଦସ୍ୟ ରଞ୍ଜିତ ସିଂହଙ୍କ ଘରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏହି ସମୟରେ ଘର ମାଲିକଙ୍କ ପୁଅ ଅମିତଙ୍କୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନଙ୍କ ସନ୍ଦେହ ହେବାରୁ ପୋଲିସକୁ କହିଥିଲେ। ଏହାପରେ ପୋଲିସ ଘର ମାଲିକଙ୍କ ପୁଅକୁ ପଚରାଉଚୁରା କରିବା ପରେ ସେ ହିଁ ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ସେ ସୃଷ୍ଟିଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ଇଟା ଏବଂ ପଥର ବାନ୍ଧି ଲାଲପୁର ମନ୍ଦିର ପଛପଟେ ଶ୍ରୀପୁର-ମହାରାଜପୁର ରାସ୍ତା ନିକଟରେ ଥିବା ବାଡୋର ନଦୀରେ ଫିଙ୍ଗି ଦେଇଥିବା କହିଥିଲେ। ସୂଚନା ପାଇବା ପରେ ପୋଲିସ ଗୁରୁବାର ଅପରାହ୍ନରେ ନଦୀରୁ ମୃତଦେହ ଜବତ କରିଛି। ଅଭିଯୁକ୍ତ ଅମିତ ସିଂହଙ୍କୁ ଗିରଫ କରିବା ସହ ହତ୍ୟାରେ ସହାୟତା କରିଥିବା ଲୋକଙ୍କ ବିଷୟରେ ତଦନ୍ତ କରୁଛି। ତେବେ ଏହି ହତ୍ୟା ପଛର କାରଣ ଜଣାପଡ଼ି ନ ଥିବା ବେଳେ ଏବେ ସୃଷ୍ଟିଙ୍କ ମୃତଦେହ ବ୍ୟବଛେଦ ପାଇଁ ରୁଦ୍ରପୁର ମେଡିକାଲକୁ ପଠାଯାଇଛି।

Dharitri – Odisha’s No.1 Odia Daily