ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ଖବର ପାଇ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ଏହାର ତଦନ୍ତ ପାଇଁ ଉପଜିଲାପାଳ ରମେଶ ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ୍ରମେ ଉପଜିଲାପାଳ ରମେଶ ଜେନାଙ୍କ ନେତୃତ୍ୱରେ ସହକାରୀ ଶ୍ରମ ଅଧିକାରୀ ବିଷ୍ଣୁ ଚରଣ ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ରାୟଗଡ଼ା ଖଣି ଅଧିକାରୀ ପ୍ରମୁଖ ଯାଞ୍ଚ ପାଇଁ ଉକ୍ତ ଇଟାଭାଟିକୁ ଯାଇଥିଲେ । ଯାଞ୍ଚ ବେଳେ ସେଠାରେ କାମ କରୁଥିବା ୩୯ଜଣ ଶ୍ରମିକ ରହିଥିବା ଜଣାପଡ଼ିଥିଲା ।
ଯାଞ୍ଚ ସମୟରେ ସେଠାରେ ଥିବା ୧୩ଜଣ ଶିଶୁଙ୍କ ମଧ୍ୟରୁ ୬ଜଣ ଶିଶୁ ଓ କିଶୋର ଶ୍ରମିକଙ୍କୁ ଇଟାଭାଟି ମାଲିକ କାର୍ଯ୍ୟରେ ନିୟୋଜିତ କରିଥିବା ଜଣାପଡ଼ିଥିଲା । ଅନ୍ୟ ୭ ଜଣ ସେଠାରେ କାମ କରୁଥିବା ଶ୍ରମିକଙ୍କ ସନ୍ତାନ ସନ୍ତତି ହୋଇଥିବା କାରଣରୁ ବାପାମାଆଙ୍କ ପାଖେ ରହୁଛନ୍ତି । ଇଟାଭାଟି ମାଲିକ ଜି.ଏମ. କିନ୍ଦିଆ ଓ ଟି. ଇଶ୍ୱର ରାଓ ଶ୍ରମିକମାନଙ୍କୁ ଅଗ୍ରିମ ଧନରାଶି ପ୍ରଦାନ କରି ୬ ମାସ ପର୍ଯ୍ୟନ୍ତ କାମ କରିବାକୁ ବାଧ୍ୟ କରୁଥିଲେ। ୨୫ ଜଣ ଶ୍ରମିକଙ୍କୁ ଅଗ୍ରିମ ଶ୍ରମ ପ୍ରଦାନ କରିଥିଲେ ଇଟାଭାଟି ମାଲିକ । ଶ୍ରମିକମାନଙ୍କୁ ଦିନକୁ ୧୪ ଘଂଟାରୁ ଅଧିକ ସମୟ କାମ କରାଯାଉଥିବା ସହ ସାପ୍ତାହିକ କମ୍ ମଜୁରି ଦିଆଯାଉଥିବା ତଦନ୍ତରୁ ଜଣାପଡ଼ିଥିଲା । ଏଭଳିକି ଶ୍ରମିକମାନେ ଅସ୍ୱଚ୍ଛ ଓ ବିପଦପୂର୍ଣ୍ଣ ପରିବେଶରେ ବସବାସ କରୁଥିବା ସହ ଚିକିତ୍ସା ସୁବିଧାର ମଧ୍ୟ ଅଭାବ ଥିବା ଏବଂ କାମ ଛାଡ଼ିବାକୁ ଚାହିଁଲେ ସେମାନଙ୍କୁ ଧମକ ଦିଆଯାଇ ଭୟଭୀତ କରାଯାଉଥିବା ତଦନ୍ତରୁ ଜଣାପଡ଼ିଥିବା ଉପଜିଲାପାଳ ଜେନା ସୂଚନା ଦେଇଛନ୍ତି । ଏସମ୍ପର୍କରେ ଶ୍ରମ ବିଭାଗ ପକ୍ଷରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରାଯାଇଥିବା ଶ୍ରମ ବିଭାଗ ସୂଚନା ଦେଇଛି ।