କଞ୍ଚା ଲଙ୍କା ଚାଷ କରି ମାଲାମାଲ:  ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରି

ଦାରିଙ୍ଗବାଡି,୧୬।୯ (ଅରୁଣ ସାହୁ): କଞ୍ଚା ଲଙ୍କା ଚାଷ କରି ମାଲାମାଲ ହେଉଛନ୍ତି ମହିଳା ଚାଷୀ। ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରିବଟା କରିସାରିଲେଣି। ଆଗକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେବା ଆଶା ବାନ୍ଧିଛନ୍ତି ଏସ୍‌ଏଚଜି ମହିଳା ଗ୍ରୁପ ।
ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ କ. ନୂଆଗାଁ ବ୍ଲକ ସୀମା କନ୍ଦିବାନ୍ଦା ଗ୍ରାମରେ ମା’ଶିବାନୀ ଏସଏଚଜି ଗ୍ରୁପର ୧୨ ଜଣ ସଦସ୍ୟଙ୍କ ମଧ୍ୟରୁ ୮ ଜଣ ସଦସ୍ୟା ଚଳିତ ବର୍ଷ ୮ ଏକର ଜମିରେ କଞ୍ଚା ଲଙ୍କା ଚାଷ କରିଛନ୍ତି। ଏଥିପାଇଁ ସେମାନେ ୧୭ ଶହ ଗ୍ରାମ ଲଙ୍କା ମଞ୍ଜି ବିହନକୁ ବେଡ ପ୍ରସ୍ତୁତ କରି ବୁଣିଥିଲେ। ଏହା ଜୁଲାଇ ପହିଲାରେ ବୁଣିଥିବା ବେଳେ ଜୁଲାଇ ଶେଷ ବେଳକୁ ଚାରା ଉତ୍ପାଦନ ହୋଇଥିଲା ତାକୁ ୮ ଏକର ଜମିରେ ଧାଡି ରେ ରୋଇ ଥିଲେ ଯାହାକି ଚଳିତ ପହିଲାରୁ ଅମଳ ହେବା ଆରମ୍ଭ ହୋଇଛି। ମାତ୍ର ୪ ଦିନ ରେ ୮ ଜଣ ସଦସ୍ୟା ୧ କୁଣ୍ଟାଲରୁ ଅଧିକା ବିକ୍ରି କରିବା କହିଛନ୍ତି। ଲଙ୍କା  ସମସ୍ତ ଗଛରେ ପେନ୍ଥା ପେନ୍ଥା ହୋଇ ଫଳିଛି। ଯାହାକି ସେମାନଙ୍କୁ ଦୈନିକ ତୋଳି ବିକ୍ରି କରିବା କଷ୍ଟ ହୋଇପଡୁଛି। ଆଗକୁ ଏଭଳି ୨ ମାସ ପର୍ଯ୍ୟନ୍ତ ପ୍ରଚୁର ପରିମାଣର ଅମଳ ହେବ। ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇ ଲାଭବାନ ହେବେ ବୋଲି ଏସଏଚଜି ଗ୍ରୁପ ଆଶା ରଖିଥିବା ଗ୍ରୁପର ସାଧାରଣ ସମ୍ପାଦିକା ଲିଜାଦେଇ ପ୍ରଧାନ କହିଛନ୍ତି।
ସେ କହିଛନ୍ତି ଯେ, ୨୦୨୨ ରେ ମିଳିତ ଭାବେ ସେମାନେ ପ୍ରଥମେ ୧୦ ଏକର ଜମିରେ ଟମାଟୋ ଚାଷ କରିଥିଲେ। ସମସ୍ତ ଖର୍ଚ୍ଚ ଯାଇ ସେମାନେ ୮ ଲକ୍ଷ ଟଙ୍କା ଲାଭବାନ ହୋଇଥିଲେ। ସେହିଦିନ ଠାରୁ ସେମାନେ ଆଉ ପଛକୁ ନଦେଖି ଚାଷ କାର୍ଯ୍ୟକୁ ଆଦରି ନେଇଥିବା କହିଛନ୍ତ। ପ୍ରତିବର୍ଷ ସେମାନେ ବିଭିନ୍ନ ଚାଷ ପାଇଁ ବିହନ ବଦଳାଉଥିବା ବେଳେ ଗତ ୨ ବର୍ଷ ହେଲା ସେମାନେ କଞ୍ଚା ଲଙ୍କା ଚାଷକୁ ଅଧିକା ଗୁରୁତ୍ୱ ଦେଉଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟା ବିମଳା ମଲିକ କହିଛନ୍ତି। ସେମାନେ ଜୈବିକ ପଦ୍ଧତିରେ ଏହି ଚାଷ କରୁଥିବା ବେଳେ ଅମଳ ପରେ ସେମାନେ ଦାରିଙ୍ଗବାଡି ବ୍ଲକର ସିମନବାଡି, ଦାରିଙ୍ଗବାଡି, କ. ନୂଆଗାଁ, ବାଲିଗୁଡା ଆଦି ଅଞ୍ଚଳରେ ବିକ୍ରିବଟା କରୁଛନ୍ତି। ଅଧିକା ଅମଳ ଦିନ ଜିଲା ବାହାରକୁ ବିକ୍ରିପାଇଁ ପଠାଉଥିବା କହିଛନ୍ତି। ତେବେ ଜଳସେଚନ ବ୍ୟବସ୍ଥା ସହ ସରକାରୀ ସହାୟତା ନଥିବାରୁ ସେମାନେ ଚାଷକୁ ଆହୁରି ଅଧିକା କରିବାକୁ ଇଚ୍ଛା ଶକ୍ତି ଥିଲେ ମଧ୍ୟ ଜଳସଙ୍କଟ ତାଙ୍କୁ ଚାଷ କାର୍ଯ୍ୟରେ ବାଧକ ସାଜିଥିବା ମହିଳା ଚାଷୀ ମାନେ କହିଛନ୍ତି ।

Share
Tags: kandhamal