ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK) ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି ଯାଇଛି। ଯେଉଁ ଟିମ୍ ପାଇଁ ଜାଡେଜା ନିଜର ସର୍ବସ୍ବ ଦେଉଥିଲେ, ଚଳିତ ସିଜନରେ ସେହି ଟିମ ବିପକ୍ଷରେ ହିଁ ତାଙ୍କୁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିଛି। ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ (RR) ପାଇଁ ’ହଲ୍ଲା ବୋଲ’ କରୁଥିବା ଜାଡେଜା, CSK ବିପକ୍ଷ ମ୍ୟାଚ୍ରେ ଭାବୁକ ହୋଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି।
ମ୍ୟାଚ ଚାଲିଥିବା ସମୟରେ ଜାଡେଜାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଏହାର କାରଣ ଥିଲା ’ପୁରୁଣା ପ୍ରେମ’। ଜାଡେଜା ପ୍ରାୟ ୧୨-୧୩ ବର୍ଷ ଧରି CSK ସହିତ ଜଡ଼ିତ ଥିଲେ।
ମ୍ୟାଚ ପରେ ସେ କହିଛନ୍ତି, ଏତେ ବର୍ଷ CSK ପାଇଁ ଖେଳିବା ପରେ ଅନ୍ୟ ଏକ ଜର୍ସି ପିନ୍ଧି ସେମାନଙ୍କ ବିପକ୍ଷରେ ଖେଳିବା ସହଜ ନ ଥିଲା। ଯେତେବେଳେ ଷ୍ଟାଡିୟମରେ CSK ସମର୍ଥକମାନେ ମୋ ନାମ ଧରି ଚିତ୍କାର କଲେ, ମୁଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲି ଏବଂ ଆଖିରୁ ଲୁହ ଝରି ଆସିଲା।”
ମ୍ୟାଚ ଶେଷ ହେବା ପରେ ଏକ ହୃଦୟସ୍ପର୍ଶୀ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚକୁ ୮ ଉଇକେଟରେ ଜିତିବା ପରେ ଜାଡେଜା CSK ଖେଳାଳି ଖଲିଲ ଅହମ୍ମଦଙ୍କ ପାଖକୁ ଯାଇଥିଲେ। ତାଙ୍କ ସହ କଥା ହେବା ପୂର୍ବରୁ ଜାଡେଜା ଖଲିଲଙ୍କ ଜର୍ସିରେ ଥିବା CSK Logoକୁ ଦେଖି ତାକୁ ଚୁମ୍ବନ ଦେଇଥିଲେ। ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ, ଜାଡେଜା ଆଜି ରାଜସ୍ଥାନ ପାଇଁ ଖେଳୁଥାଇ ପାରନ୍ତି, କିନ୍ତୁ ତାଙ୍କ ହୃଦୟରେ CSK ପାଇଁ ଭଲପାଇବା ଏବେ ବି ଅତୁଟ ରହିଛି।
ଭାବପୂର୍ଣ୍ଣ ହେବା ସତ୍ତ୍ୱେ ଜାଡେଜା ପଡ଼ିଆରେ ନିଜର ବୃତ୍ତିଗତ କର୍ତ୍ତବ୍ୟ ଭୁଲି ନ ଥିଲେ। ସେ ମାତ୍ର ୩ ଓଭରରେ ୧୮ ରନ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ, ଯାହା ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏସବୁ ମଧ୍ୟରେ ଜାଡେଜାଙ୍କ ଏହି ଭାବୁକ ରୂପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କୁ ଜଣେ ’ପ୍ରକୃତ ଟିମ ପ୍ଲେୟାର’ ବୋଲି କହୁଛନ୍ତି।
Dharitri – Odisha’s No.1 Odia Daily