Categories: Home Middleଖେଳ

ବିରାଟ କୋହଲି ସାଥି ଖେଳାଳିଙ୍କୁ ବାଡ଼େଇବା…., ରବି ଶାସ୍ତ୍ରୀଙ୍କ ବିସ୍ଫୋରକ ମନ୍ତବ୍ୟ

ମୁମ୍ବାଇ,୧୬ା୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କ ନଜର ରହିଛି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ। ୩୬ ବର୍ଷୀୟ କୋହଲି ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫିରେ ଶେଷ ଥର ଭାରତ ପାଇଁ ଖେଳିଥିଲେ ଏବଂ ଟେଷ୍ଟ ଓ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇଛନ୍ତି। ଏହି ସିରିଜ ପୂର୍ବରୁ ପୂର୍ବତନ ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ କୋହଲିଙ୍କ ଅଧିନାୟକତ୍ୱ ସମୟରେ ତାଙ୍କର କଠୋର ମନୋଭାବ ବିଷୟରେ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି।

ଏକ ପଡ଼କାଷ୍ଟରେ ଶାସ୍ତ୍ରୀ କହିଛନ୍ତି ଯେ, କୋହଲି ମଇଦାନରେ ଅଳସୁଆ ମନୋଭାବ ଓ ଖରାପ ଫିଟନେସକୁ ଆଦୌ ସହ୍ୟ କରୁନଥିଲେ, ବିଶେଷତଃ ରନିଂ ବିଟୁଇନ ଦି ଉଇକେଟ୍ସ ସମୟରେ। ସେ କହିଛନ୍ତି, “ଯଦି କେହି ଅଳସୁଆ ଥାଏ ଓ ଦୌଡ଼ିବାରେ ଦୁର୍ବଳତା ଦେଖାଏ, ତେବେ କୋହଲି ତୁରନ୍ତ ତାଙ୍କୁ ଜିମ୍‌ରେ ଯାଇ ଫିଟନେସ ବଢ଼ାଇବାକୁ କହୁଥିଲେ।”

ଶାସ୍ତ୍ରୀ ଆହୁରି କହିଛନ୍ତି ଯେ, ମଇଦାନରେ ସାଙ୍ଗମାନଙ୍କ ଭୁଲ ଦେଖି କୋହଲି ଏତେ ରାଗି ଯାଉଥିଲେ ଯେ ସେମାନଙ୍କୁ ମାରିବାକୁ ମଧ୍ୟ ପ୍ରସ୍ତୁତ ହେଉଥିଲେ। “ମୁଁ ତାଙ୍କୁ ବାରମ୍ବାର ଶାନ୍ତ ରହିବାକୁ କହୁଥିଲି। ଯଦି ଏକ ଉଇକେଟ ପଡ଼େ, ସେ ତୁରନ୍ତ ଆସନରୁ ଉଠି ପଡ଼ୁଥିଲେ। ମୁଁ କହୁଥିଲି, ‘ଶାନ୍ତ ହୁଅ, ସେ ଅତି କମରେ ଅଧା ମଇଦାନ ପାର ହେଉ। ଷ୍ଟମ୍ପ ପାଖରେ ନୁହେ, ବାଉଣ୍ଡାରୀ ଲାଇନ ପାଖରେ ତାଙ୍କୁ ଭେଟ।’ ସେ ଏକ ଉତ୍ତେଜିତ ବିରାଟ ଥିଲେ,” ଶାସ୍ତ୍ରୀ କହିଛନ୍ତି।

ଏବେ କୋହଲି ନୂଆ ଦିନିକିଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳିବେ, ଯିଏ ରୋହିତ ଶର୍ମାଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି। ଭାରତର ଅଷ୍ଟ୍ରେଲିଆ ଗସ୍ତ ଅକ୍ଟୋବର ୧୯ରେ ପର୍ଥ ଷ୍ଟାଡିୟମରୁ ଆରମ୍ଭ ହେବ, ଏହାପରେ ୨୩ ଓ ୨୫ ଅକ୍ଟୋବରରେ ଆଡିଲେଡ ଓଭାଲ ଓ ସିଡ଼ନୀ କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳାଯିବ। ଏହାପରେ ଅକ୍ଟୋବର ୨୯ରୁ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ।

Dharitri – Odisha’s No.1 Odia Daily

Share