ଗମ୍ଭୀରଙ୍କ ମଜା ଉଡ଼ାଇବା ଯୋଗୁ ମିଳିଲା ଦଣ୍ଡ, ଷ୍ଟୋକ୍ସଙ୍କ ଅବସ୍ଥା ଖରାପ!

ନୂଆଦିଲ୍ଲୀ,୫।୮: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ବେଳେ ଭାରତୀୟ ଟିମ୍‌ର ଉଇକେଟକିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଆହତ ହୋଇଥିଲେ। ଆହତ ହେବା ସତ୍ତ୍ୱେ ସେ ଏହି ମ୍ୟାଚରେ ବ୍ୟାଟିଂ କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆହତ ଖେଳାଳିଙ୍କ ପାଇଁ ସବଷ୍ଟିଚ୍ୟୁଟ ଖେଳାଳି ନେବା ନେଇ ଏକ ବଡ଼ ବୟାନ ଦେଇଥିଲେ, ଯାହାକୁ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ହାସ୍ୟପଦ ବୋଲି କହିଥିଲେ। ଏବେ ଓଭାଲରେ ଖେଳାଯାଇଥିବା ପଞ୍ଚମ ଓ ଶେଷ ଟେଷ୍ଟ ମ୍ୟାଚ ପରେ ଭାରତର ପୂର୍ବତନ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ବେନ ଷ୍ଟୋକ୍ସଙ୍କ ଏହି ବୟାନକୁ ମନେ ପକାଇ ନିଜର ମତ ରଖିଛନ୍ତି।
ଅଶ୍ୱିନ ତାଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ତୁମେ ଯାହା ବୁଣୁଛ, ତାହା ହିଁ କାଟିବ। ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଋଷଭ ପନ୍ତ ଆହତ ହେବା ପରେ ପ୍ରେସ କନଫରେନ୍ସରେ ଆହତ ଖେଳାଳିଙ୍କ ସବଷ୍ଟିଚ୍ୟୁସନ ନେଇ ପ୍ରଶ୍ନ ପଚରାଯାଇଥିଲା। ଗୌତମ ଗମ୍ଭୀର କହିଥିଲେ ଯେ ଏପରି ନିୟମ ନିଶ୍ଚିତ ହେବା ଉଚିତ। ଯଦି କୌଣସି ଟିମର ଖେଳାଳି ଆହତ ହୁଏ, ତା’ଙ୍କ ସ୍ଥାନରେ ସବଷ୍ଟିଚ୍ୟୁଟ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର। ଏହାପରେ ବେନ ଷ୍ଟୋକ୍ସଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଓ ସେ ଏହାକୁ ହାସ୍ୟପଦ ବୋଲି କହିଥିଲେ। ହେଲେ ପଞ୍ଚମ ଟେଷ୍ଟ ବେଳେ ଇଂଲଣ୍ଡର ଅଭିଜ୍ଞ ଅଲରାଉଣ୍ଡର କ୍ରିସ ୱୋକ୍ସ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତଥାପି ଇଂଲଣ୍ଡର ୯ଟି ୱିକେଟ ପତନ ପରେ ୱୋକ୍ସ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ। ଯଦିଓ ଇଂଲଣ୍ଡ ମ୍ୟାଚ ହାରିଯାଇଥିଲା, କ୍ରିସ ୱୋକ୍ସଙ୍କ ଏହି ମନୋବଳକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ। ଅଶ୍ୱିନ ଏହି କଥା ଉଠାଇ ଉଭୟ କଥାକୁ ମନେ ପକାଇଦେଇଛନ୍ତି।
ତେବେ ଏହି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ବରାବର ହୋଇ ଶେଷ ହୋଇଛି। ଉଭୟ ଟିମର ଖେଳାଳିମାନେ ଏହି ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ପଞ୍ଚମ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଆୱାର୍ଡ ମିଳିଥିଲା।