ନୂଆଦିଲ୍ଲୀ,୨୨।୩: ଭାରତ ସରକାରଙ୍କ ପକ୍ଷରୁ ସାଧାରଣ ନାଗରିକଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ହିତାଧିକାରୀମାନଙ୍କୁ ଏପ୍ରିଲ ମାସରେ ଏକାସଙ୍ଗେ ତିନି ମାସର ରାଶନ ଯୋଗାଇ ଦିଆଯିବ।
ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ବିଭାଗର ଅଫିସିଆଲ ‘ଏକ୍ସ’ (X) ହ୍ୟାଣ୍ଡେଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଯୋଗ୍ୟ ହିତାଧିକାରୀମାନଙ୍କୁ ଏପ୍ରିଲ, ମେ’ ଏବଂ ଜୁନ ୨୦୨୬ ମାସର ରାଶନ ଏକାଥରକେ ପ୍ରଦାନ କରାଯିବ। ବିଶେଷ କରି ଯେଉଁମାନେ ପ୍ରତିମାସରେ ରାସନ ଦୋକାନକୁ ଯିବାରେ ଅସୁବିଧା ଅନୁଭବ କରନ୍ତି କିମ୍ବା ଯେଉଁମାନଙ୍କ ଘରଠାରୁ ଡିପୋ ବହୁ ଦୂରରେ, ସେମାନଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତି ଆଣିଦେବ।
ତିନି ମାସର ଖାଦ୍ୟଶସ୍ୟ ଏକାସଙ୍ଗେ ମିଳିବା ଦ୍ୱାରା ଲୋକଙ୍କୁ ବାରମ୍ବାର ଦୋକାନକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଏହା ବିଶେଷ ସହାୟକ ହେବ। ବଣ୍ଟନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ ଏବଂ ସ୍ବଚ୍ଛ କରିବା ସରକାରଙ୍କର ଲକ୍ଷ୍ୟ।
ହିତାଧିକାରୀମାନେ ନିଜର ନିକଟସ୍ଥ ଫେୟାର ପ୍ରାଇସ ସପ (FPS) ବା ସରକାରୀ ରାସନ ଦୋକାନରୁ ର୍ନିଦ୍ଧାରିତ ସମୟରେ ଏହି ରାସନ ସଂଗ୍ରହ କରିପାରିବେ। କୌଣସି ପ୍ରକାର ଅସୁବିଧାରୁ ବର୍ତ୍ତିବା ପାଇଁ ଧାର୍ଯ୍ୟ ତାରିଖ ଏବଂ ସମୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି। କ୍ରମାଗତ ଭାବେ ବଢୁଥିବା ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ମଧ୍ୟରେ ସରକାରଙ୍କର ଏହି ନିଷ୍ପତ୍ତି ଗରିବ ଏବଂ ମଧ୍ୟବିତ୍ତ ପରିବାର ପାଇଁ ଏକ ସୁରକ୍ଷା କବଚ ସଦୃଶ କାମ କରିବ।
Dharitri – Odisha’s No.1 Odia Daily