ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା: ହଜାର ହଜାର ଭକ୍ତଙ୍କ ସମାଗମ

କୋରାପୁଟ,୨୭।୬(ଅମିତାଭ ବେହେରା):କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ମହା ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଆୟୋଜିତ ଏହି ରଥଯାତ୍ରା ଦେଖିବା ପାଇଁ ପ୍ରାୟ ୩୦ ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଲା ମଧ୍ୟରେ ଅପରାହ୍ନ ୧ଟା ୧୫ ମିନିଟରେ ପ୍ରଥମେ ବଲଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ସକାଳୁ ଯଥା ରୀତିରେ ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟ ୯ ଟା ୪୦ ମିନିଟରୁ ଶ୍ରୀ ଜିଉଙ୍କ ଧାଡି ପହଣ୍ଡି ଆରମ୍ଭ ହୋଇଥିଲା।

ବିଭିନ୍ନ ଗ୍ରାମରୁ ଆସିଥିବା ଭଜନ ଓ କୀର୍ତ୍ତନ ଦଳ, ଆଦିବାସୀ ଓ ଓଡିଶୀ ନୃତ୍ୟର ତାଳେ ତାଳେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯାଉ ୩ ରଥକୁ ନିଆଯାଇଥିଲା। ପରେ ଦୁରୁଆ, ପରଜା, କୋଣ୍ଡା ଦୋରା ଆଦି ଆଦିବାସୀଙ୍କ ଦ୍ୱାରା ଅଣାଯାଇଥିବା ବିଭିନ୍ନ ଜଙ୍ଗଲୀ ଫଳକୁ ଠାକୁରଙ୍କ ନିକଟରେ ଭୋଗ କରାଯାଇଥିଲା। ଏହି ଅବସରରେ ଜିଲାପାଳ ଭି କୀର୍ତି ଭାସନ ରଥରେ ଉପସ୍ଥିତ ରହି ଜିଲାର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମ ମୁଖିଆ ଓ ନାୟକ ମାନଙ୍କୁ ସିରପା ପିନ୍ଧାଯାଇଥିଲା। ପରେ ରାଜା ପରି ସଂମ୍ମାନ ଦିଆଯାଉଥିବା ଗ୍ରାମ ନାୟକ ଅର୍ଜୁନ ନାୟକ ଙ୍କ ଦ୍ୱାରା ନନ୍ଦିଘୋଷଙ୍କ ରଥରେ ଛେରା ପହଁରା କରିଥିଲେ। ସୁଭଦ୍ରାଙ୍କ ରଥରେ ସାଧୁ ସାଉଁତା ଓ ବଳଭଦ୍ରଙ୍କ ରଥରେ ଦାନୁ ତାଡିଙ୍ଗି ଛେରା ପହଁରା କରିଥିଲେ।
ଅପରାହ୍ନ ୧ ଟା୧୫ରୁ ପ୍ରଥମେ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ପରେ ୧ ଟା ୩୦ ମିନିଟରୁ ସୁଭଦ୍ରା ଓ ଶେଷରେ ଅପରାହ୍ନ ୨ ଟାରୁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହୋଇଥିଲା।ଏହି ରଥଯାତ୍ରା ଜିଲାପାଳ ଭି କୀର୍ତି ଭାସନ ଓ ଏସପି ରୋହିତ ବର୍ମା ନିଜେ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କୋରାପୁଟ ବିଧାୟକ ରଘୁରାମ ମାଛ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡ଼ ଭବାନୀ ଆଚାର୍ଯ୍ୟଙ୍କ ସମେତ ସମସ୍ତ ସଦସ୍ୟ ଓ ଜିଲା ପ୍ରଶାସନର ଅଧିକାରୀ ଓ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ। ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ପାଇଁ ମୋଟ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଥିଲା। ଏହି ରଥଯାତ୍ରାରେ ଜିଲା, ଜିଲା ବାହାର ଓ ପଡୋଶୀ ଛତିଶଗଡ ଓ ଆନ୍ଧ୍ରର ବହୁ ଭକ୍ତ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ସ୍ଥାନୀୟ ଷ୍ଟାଣ୍ଡ ନିକଟ ଶିବ ମନ୍ଦିରଠାରେ ସହରର ବିଭିନ୍ନ ସଂଗଠନ ପକ୍ଷରୁ ହଜାର ହଜାର ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।