ଗଦାପୁରରେ ରଥଟଣା ଆରମ୍ଭ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ର ଦୁର୍ଗମ ଗଦାପୁର ଠାରେ ପାରମ୍ପରିକ ତଥା ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ରଥଯାତ୍ରା ବହୁ ଆଡମ୍ବରରେ ପାଳନ କରାଯାଇଛି। ଭୋର ସମୟରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥିଲା। ଅପରାହ୍ନରେ ରଥ ପ୍ରତିଷ୍ଠା କରାଯିବା ସହ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିଲା। ପରେ ଗଦାପୁରର ରାଜା ସାହେବ କ୍ଷୀରୋଦ କୁମାର ଦେଓ ପାରମ୍ପରିକ ଛେରା ପହଁରା କରିବା ସହ ରଥରେ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ଶ୍ରଦ୍ଧାଳୁ ମାନେ ରଥ ଟଣା କାର୍ଯ୍ୟ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ ଯେ, କାହିଁ କେଉଁ ଯୁଗରୁ ଗଦାପୁରଠାରେ ରାଜ ପରିବାର ଜଗନ୍ନାଥଙ୍କ ସେବା କରିଆସୁଛନ୍ତି। ସ୍ନାନ ଯାତ୍ରାଠାରୁ ବାହୁଡା଼ ପର୍ଯ୍ୟନ୍ତ ଗଦାପୁର ଏହି ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠୁଥିବାବେଳେ ଶାନ୍ତି, ଭାଇଚାରା ଓ ସଦଭାବନାରେ ରଥଯାତ୍ରା ପାଳନ ହେଉଛି। ଏହି ଯାତ୍ରାରେ କନ୍ଧମାଳ ସମେତ ପଡୋଶୀ ରାୟଗଡା, ଗଜପତି ଜିଲାରୁ ରଥଯାତ୍ରାରେ ଯୋଗଦେବାକୁ ଶହ ଶହ ଶ୍ରଦ୍ଧାଳୁ ଆସୁଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।