ଚାମ୍ପିଅନ୍ସ ଟ୍ରଫିର ମୋର ଅନ୍ତିମ ICC ଟୁର୍ନାମେଣ୍ଟ, ଏଭଳି ଖୁଲାସା କରି ଚମକାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୮।୨: ଚାମ୍ପିଅନ୍ସ ଟ୍ରଫି ମୋର ଅନ୍ତିମ ଆଇସିସି ଟୁର୍ନାମେଣ୍ଟ। ଏଭଳି କିଛି କହି ଚର୍ଚ୍ଚାରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ରାସି ଭାନ୍‌ ଡେର୍‌ ଡୁସେନ୍‌। ଇଂଲଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିରେ ଅନ୍ତିମ ମୁକାବିଲା ପୂର୍ବରୁ ବ୍ୟାଟ୍ସମ୍ୟାନ୍‌ ବଡ଼ ଖୁଲାସା କରିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି।

ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍‌ ବିର ଅନ୍ତିମ ମୁକାବିଲାରେ ଶନିବାର ଇଂଲଣ୍ଡର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ। ଇଂଲଣ୍ଡ ପୂର୍ବରୁ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି, ହେଲେ ଦକ୍ଷିଣ ଆଫ୍ରିକାକୁ ବିଜୟର ଆବଶ୍ୟକତା ରହିଛି। ଏହାପୂର୍ବରୁ ଡୁସେନ୍‌ କହିଛନ୍ତି, ମୋର ଲକ୍ଷ୍ୟ ସର୍ବଦା ପ୍ରୋଟିଆଜ୍‌ ପାଇଁ ଖେଳିବା। ଲୋକେ ମୋତେ ପଚାରୁଛନ୍ତି ଯେ ଏହି ଟୁର୍ନାମେଣ୍ଟ ପରେ ଲିଗ୍‌ ଖେଳିବି କି ନାହିଁ। ତାହା ମୁଁ ଜାଣେନା। ମୋ ଦେଶକୁ ପ୍ରତିନିଧିତ୍ୱ କରିବା ସବୁବେଳେ ମୋର ବଡ଼ ଏବଂ ଏକମାତ୍ର ଲକ୍ଷ୍ୟ ହୋଇ ଆସିଛି। ତେଣୁ ଯଦି ସେହି ଲକ୍ଷ୍ୟ ହାସଲ ନ ହୁଏ ତେବେ ମୁଁ କ’ଣ କରିବି ତାହା ଜାଣେନାହିଁ ବୋଲି ସେ କହିଛନ୍ତି।

ଏହାଛଡ଼ା ଦଳରେ ବହୁତ ପ୍ରତିଭାବାନ ଯୁବ ଖେଳାଳି ଅଛନ୍ତି। ଟ୍ରିଷ୍ଟାନ୍‌ ଷ୍ଟବସ୍‌, ଟୋନି ଡି ଜିଓର୍ଜି ଏବଂ ବ୍ରିଟ୍‌ଜକେଙ୍କ ଭଳି ବ୍ୟାଟ୍ସମ୍ୟାରନ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ନିକଟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବ୍ରିଟ୍‌ଜେକେ ତାଙ୍କ ଡେବ୍ୟୁ ମ୍ୟାଚ୍‌ରେ ୧୫୦ ରନ୍‌ କରି ଇତିହାସ ସୃଷ୍ଟି କରିଥିଲେ ବୋଲି ସେ କହିଛନ୍ତି।

ତେବେ ଡୁସେନ୍‌ଙ୍କ କ୍ୟାରିୟର ଦେଖିଲେ ସେ ଦକ୍ଷିଣ ଆଫ୍ରିକା ପାଇଁ ୩ଟି ଫର୍ମାଟରେ ଖେଳିଛନ୍ତି। ସେ ଦକ୍ଷିଣ ଆଫ୍ରିକା ଲାଗି ୫୦ ଟେଷ୍ଟ, ୬୯ ଦିନିକିଆ, ୫୦ ଟି୨୦ରେ ଯଥାକ୍ରମେ ୯୦୫,୨୫୧୬,୯୭୧ ରନ୍‌ କରିଛନ୍ତି। ଏମିତିରେ ସେ ନିଜର ଅନ୍ତିମ ଆଇସିସି ମ୍ୟାଚ୍‌କୁ ସ୍ମରଣୀୟ କରିବେ ବୋଲି କୁହାଯାଉଛି।