ବିଜୟ ଦେବରକୋଣ୍ଡାଙ୍କ ସହ ନିର୍ବନ୍ଧ ଚର୍ଚ୍ଚାକୁ ନିଶ୍ଚିତ କଲେ ରଶ୍ମିକା: କହିଲେ- “ସମସ୍ତେ ଜାଣିଛନ୍ତି”

ହାଇଦ୍ରାବାଦ: ଦୀର୍ଘ ଦିନରୁ ଚାଲିଥିବା ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପ୍ରେମ ସମ୍ପର୍କ ଓ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ନିଜର ଆଗାମୀ ଫିଲ୍ମ ‘ଥମ୍ମା’ର ପ୍ରମୋସନ ସମୟରେ ରଶ୍ମିକାଙ୍କର ଏକ ଉତ୍ତର ଏହି ଖବରକୁ ଆହୁରି ଦୃଢ଼ କରିଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ନିର୍ବନ୍ଧ ପ୍ରସଙ୍ଗରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରଶ୍ମିକା ଲାଜେଇ ହସି କହିଥିଲେ, “ଏ ବିଷୟରେ ସମସ୍ତେ ଜାଣିଛନ୍ତି।” ତାଙ୍କର ଏହି ସଂକ୍ଷିପ୍ତ ମନ୍ତବ୍ୟକୁ ପ୍ରଶଂସକମାନେ ନିର୍ବନ୍ଧର ଏକ ସୂକ୍ଷ୍ମ ସ୍ୱୀକୃତି ବୋଲି ମାନୁଛନ୍ତି।

ରିପୋର୍ଟ ଅନୁସାରେ, ଏହାର କିଛି ସପ୍ତାହ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୩ ତାରିଖରେ ପରିବାର ଓ ଅତି ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟ ଲୁଚାଛପାରେ ନିର୍ବନ୍ଧ କରିସାରିଛନ୍ତି।

ରଶ୍ମିକା ତାଙ୍କ ପୋଷା କୁକୁର ‘ଅରା’ ସହ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ସେହି ଭିଡିଓରେ ତାଙ୍କ ବାମ ହାତର ଆଙ୍ଗୁଠିରେ ଥିବା ଚକ୍‌ଚକ୍ ହୀରା ମୁଦିକୁ ପ୍ରଶଂସକମାନେ ସହଜରେ ଧରି ପାରିଥିଲେ। ଅନେକ ଲୋକ ଏହାକୁ ନିର୍ବନ୍ଧର ଅନ୍ୟ ଏକ ସୂଚନା ବୋଲି କହୁଛନ୍ତି।

‘ଗୀତା ଗୋବିନ୍ଦମ୍’ (Geetha Govindam) ଏବଂ ‘ଡିୟର କମ୍ରେଡ୍’ (Dear Comrade) ଫିଲ୍ମରେ ଏକାଠି କାମ କରିବା ପରେ ଏହି ଯୋଡ଼ିଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ଉଭୟ ଫେବୃଆରୀ ୨୦୨୬ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯୋଜନା କରୁଥିବା ଖବର ମିଳିଛି।

Share