୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ। ସୋମବାର ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଏଡିଜେ-୩ କୋର୍ଟଙ୍କ ରାୟ ପରେ ମୂର୍ତ୍ତି ଫେରିବା ଆଶା ଉଜ୍ଜୀବିତ ହୋଇଛି। ବିଚାରପତି ହିମାଂଶୁ ମଲ୍ଳିକ ଏ ସମ୍ପର୍କରେ ରାୟ ପ୍ରଦାନ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସୁବର୍ଣ୍ଣପୁର ଜିଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
ସୋନପୁର ରାଜଉଆସର ଠିକ୍‌ ସମ୍ମୁଖରେ ଗୋପାଳଜୀ ମନ୍ଦିର ଅବସ୍ଥିତ। ରାଜ ପରିବାରର ଇଷ୍ଟଦେବତା ହେଉଛନ୍ତି ଶ୍ରୀଗୋପାଳଜୀ ଠାକୁର। ଦେଶ ସ୍ବାଧୀନ ହେଲା ପରେ ରାଜ ଶାସନ ଅବସାନ ପରେ ମନ୍ଦିରଗୁଡିକର ଦାୟିତ୍ୱ ସରକାର ନେଇଥିଲେ। ତେବେ ୧୯୮୨ ମସିହାରେ ମନ୍ଦିରରୁ ବହୁମୂଲ୍ୟ ପ୍ରାଚୀନ ରାଧା, ଗୋପାଳଜୀ, ଗରୁଡଙ୍କ ସମେତ ୯ଗାଟି ପାର୍ଶ୍ୱ ଦେବତା ଏପରି ମୋଟ ୧୨ମୂର୍ତ୍ତି ଚୋରି ହୋଇଥିଲା। ସେହିବର୍ଷ ଦିଲ୍ଲୀ ବିମାନ ବନ୍ଦରଠାରେ ସିବିଆଇ ଦ୍ୱାରା ଚୋର ଧରାପଡିଥିଲେ। ଚାନ୍ଦିନିଚୌକର ଫତେପୁରୀ ନିକଟରୁ ସିବିଆଇ ମୂର୍ତ୍ତିଗୁଡିକ ଜବତ କରିଥିଲା। ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ ହୋଇଥିଲା। ସୁବର୍ଣ୍ଣପୁର ଗୋପାଳଜୀ ମନ୍ଦିରରୁ ଚୋରି ମୂର୍ତ୍ତିଗୁଡିକ ଚିହ୍ନଟ ହୋଇଥିଲା। ମୂର୍ତ୍ତିଗୁଡିକ ସେବେଠାରୁ ଭୁବନେଶ୍ୱରସ୍ଥିତ ସିବିଆଇ ମାଲଖାନାରେ ଆସି ରହିଥିଲା। ବିଭିନ୍ନ ସମୟରେ ଏମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉ ନ ଥିଲା। ମନ୍ଦିର କମିଟି ପକ୍ଷରୁ ମୂର୍ତ୍ତିଗୁଡିକୁ ସ୍ବମନ୍ଦିରକୁ ଫେରାଇ ଆଣିବା ପାଇଁ ଉଦ୍ୟମ ହୋଇଥିଲା।
ଏହି ମାମଲାର ଶୁଣାଣି ହୋଇଥିଲା। ମୂର୍ତ୍ତିଗୁଡିକ ଗୋପାଳଜୀ ମନ୍ଦିରରେ ପୁନଃ ସ୍ଥାପନ ପାଇଁ କୋର୍ଟ ପରାମର୍ଶ ଦେଇଥିଲେ। ମାତ୍ର କୌଣସି କାରଣରୁ ମୂର୍ତ୍ତିଗୁଡିକ ସୁବର୍ଣ୍ଣପୁର ଫେରାଇ ଅଣାଯାଇ ପାରି ନ ଥିଲା। ତେବେ ବର୍ତ୍ତମାନର ଜିଲାପାଳ ଡ. ନୃପରାଜ ସାହୁ ଏହା ଜାଣିବା ପରେ ମୂର୍ତ୍ତିଗୁଡିକୁ ଫେରସ୍ତ ଆଣିବାକୁ ଉଦ୍ୟମ କରିଥିଲେ। ସୋନପୁର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଡ. ସୌମ୍ୟରୂପା ରଥ ଏନେଇ ଉଦ୍ୟମ ଜାରି ରଖିଥିଲେ। ମହନ୍ତ ବଂଶୀଧର ଦାସ, ଆଇନଜୀବୀ ଏବଂ ଅନ୍ୟ ଭକ୍ତଙ୍କ ସହଯୋଗରୁ ମୂର୍ତ୍ତିଗୁଡିକ ଦିନେ କିମ୍ବା ଦୁଇଦିନ ଭିତରେ ଗୋପାଳଜୀ ମନ୍ଦିରକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି।

 

Dharitri – Odisha’s No.1 Odia Daily