ବଳାତ୍କାରୀଙ୍କୁ ନପୁଂସକ କରି ଛାଡିଦିଆଯିବା ଉଚିତ୍‌: ଏମିତି ପରାମର୍ଶ ଦେଲେ ରାଜ୍ୟପାଳ

ଜୟପୁର,୧୧।୩: ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ବଲାତ୍କାରୀଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ଅନ୍ୟମାନଙ୍କୁ ଏପରି ଜଘନ୍ୟ ଅପରାଧ କରିବାରୁ ନିରୁତ୍ସାହିତ କରିବା ପାଇଁ ବଳାତ୍କାରୀଙ୍କୁ ନପୁଂସକ କରାଯିବା ଉଚିତ ବୋଲି ସେ କରାମର୍ଶ ଦେଇଛନ୍ତି। ଭରତପୁରରେ ଜିଲା ଓକିଲ ସଂଘର ଶପଥ ଗ୍ରହଣ ସମାରୋହକୁ ସମ୍ବୋଧିତ କରି ବାଗଡେ କହିଛନ୍ତି, ମହାରାଷ୍ଟ୍ରରେ ଗୋଟିଏ ନଗର ପଞ୍ଚାୟତ ଅଛି। ସେଠାରେ ବହୁତ କୁକୁର ଥିଲେ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା, ତେଣୁ ସେମାନଙ୍କ ସଂଖ୍ୟା କମାଇବା ପାଇଁ ବନ୍ଧ୍ୟାକରଣ କରାଯାଇଥିଲା। ବଳାତ୍କାରୀଙ୍କ ବିରୋଧରେ ମଧ୍ୟ ସମାନ ପଦକ୍ଷେପ ନିଆଯିବା ଉଚିତ। ସେମାନଙ୍କୁ ନପୁଂସକ କରି ଛାଡିଦିଅ। ସେମାନଙ୍କୁ ଏହିପରି ବଞ୍ଚିବାକୁ ପଡିବ ଏବଂ ଯେତେବେଳେ ଅନ୍ୟମାନେ ସେମାନଙ୍କୁ ଦେଖିବେ, ସେମାନେ ମନେ ରଖିବେ ଯେ ଏହା ସେହି ବ୍ୟକ୍ତି (ବଳାତ୍କାରୀ) ଥିଲା। ବଳାତ୍କାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ ଚେତାବନୀ ଦେଇଥିଲେ, ଯଦି ଏପରି ଅପରାଧୀଙ୍କୁ ଲଗାମ ଲଗାଯାଏ ନାହିଁ, ତେବେ ସେମାନେ ସମାଜ ପାଇଁ ବିପଦ ସୃଷ୍ଟି କରି ଚାଲିବେ।

ରାଜ୍ୟପାଳ ପୀଡିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମହିଳାଙ୍କ ପ୍ରତି ନିର୍ଯାତନା ଭଳି ଘଟଣାର ଭିଡିଓ ପ୍ରସ୍ତୁତ କରୁଥିବା ଲୋକଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ବାଗଡେ କହିଥିଲେ, ଯେପର୍ଯ୍ୟନ୍ତ ଆମେ ଏହି ମାନସିକତାକୁ ପରିବର୍ତ୍ତନ ନ କରିବା, ଯୌନ ଅପରାଧ ବନ୍ଦ ହେବ ନାହିଁ। ସେ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ ସୁଲଭ ଏବଂ ଶୀଘ୍ର ନ୍ୟାୟର ଧାରଣା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଥିଲେ।

 

Share