Categories: Home Leftଖେଳ

Ranji Trophy final: ନାୟରଙ୍କ ଦମ୍‌ଦାର ଶତକ, ଟ୍ରଫି ଲକ୍ଷ୍ୟରେ ବିଦର୍ଭ

ନାଗପୁର,୧ା୩ : ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ କେରଳ ବିପକ୍ଷରେ ଚାଲିଥିବା ରଣ୍‌ଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ ଚତୁର୍ଥ ଦିନ ଶେଷସୁଦ୍ଧା ବିଦର୍ଭ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ବିଦର୍ଭ ୩୭୯ ରନ୍‌ କରିଥିବା ବେଳେ କେରଳ ୩୪୨ ରନ୍‌ କରିଥିଲା।

ଫଳରେ ୩୭ ରନ୍‌ରେ ଆଗୁଆ ଥିବା ବିଦର୍ଭ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଚତୁର୍ଥ ଦିନ ଶେଷସୁଦ୍ଧା ୪ ଉଇକେଟରେ ହରାଇ ୨୪୯ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କରୁନ ନାୟର ୧୩୨ ଓ ଅଧିନାୟକ ଅକ୍ଷୟ ଓ୍ବାଡକର ୪ ରନରେ ଅପରାଜିତ ଅଛନ୍ତି। ବିଦର୍ଭ ହାତରେ ୬ ଉଇକେଟ ସୁରକ୍ଷିତ ରଖି ମ୍ୟାଚରେ ୨୮୬ ରନ୍‌ରେ ଆଗରେ ରହିଛି।

ଶନିବାର ତଥା ମ୍ୟାଚ୍‌ର ଚତୁର୍ଥ ଦିନ ବିଦର୍ଭ ତା’ର ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ମାତ୍ର ୭ ରନ୍‌ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା। ହେଲେ ଡାନିଶ ମାଲଓ୍ବୋର ଏବଂ କରୁନ ତୃତୀୟ ଉଇକେଟ ପାଇଁ ୧୮୨ ରନ୍‌ ଯୋଡ଼ିଥିଲେ। ଡାନିଶ ୭୩ ରନ୍‌ କରି ପାଭିଲିଅନ ଫେରିଥିଲେ। ପରେ ୟଶ ରାଠୋର ୨୪ ରନ୍‌ କରି ଆଉଟ ହୋଇଥିଲେ।

କରୁନ ଓ ଅଧିନାୟକ ଅକ୍ଷୟ ପ୍ରତିପକ୍ଷ କେରଳ ଦଳକୁ ଆଉ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। କେରଳ ପକ୍ଷରୁ ଏମ୍‌ଡି ନିଧିଶ, ଜଲଜ ସକ୍ସେନା, ଆଦିତ୍ୟ ସରଓ୍ବତେ ଓ ଅକ୍ଷୟ ଚନ୍ଦ୍ରନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share