ପ୍ରତିଶୋଧର କାହାଣୀ ଦେଖାଇବ ‘ରଙ୍ଗିନ୍‌’

ମୁମ୍ବାଇ: ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମ ପ୍ରାଇମ୍‌ ଭିଡିଓରେ ଅଭିନେତା ବିନୀତ କୁମାର ସିଂଙ୍କ ୱେବ୍‌ସିରିଜ୍‌ ‘ରଙ୍ଗିନ୍‌’ ରିଲିଜ୍‌ ହେବାକୁ ଯାଉଛି। ପ୍ରାଇମ୍‌ ଭିଡିଓ ପକ୍ଷରୁ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦିଆଯାଇଛି। ଏହାସହ ପ୍ରାଇମ୍‌ ଭିଡିଓ ପକ୍ଷରୁ ‘ରଙ୍ଗିନ୍‌’ର ପ୍ରଥମ ପୋଷ୍ଟରକୁ ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ସିରିଜ୍‌ରେ ବିନୀତଙ୍କର ଏକ ଝଲକ୍‌କୁ ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରେ ‘ରଙ୍ଗିନ୍‌’ର ଫିଲ୍ମ ନିର୍ମାତା ପ୍ରାଞ୍ଜଲ ଦୁଆ, କୋପାଲ ନାଥାନି ଏବଂ ନିର୍ଦ୍ଦେଶକ କବୀର ଖାନ୍‌ଙ୍କୁ ଟ୍ୟାଗ୍‌ କରାଯାଇଛି। କ୍ୟାପ୍‌ଶନ୍‌ରେ ଲେଖାହୋଇଛି, ପ୍ରକୃତ ଆଖି ହିଁ ପ୍ରକୃତ ମିଛକୁ ଧରିପାରିଥାଏ। ଏକ ପ୍ରତିଶୋଧର କାହାଣୀ ସହ ଆସନ୍ତା ୨୫ ତାରିଖରୁ ଷ୍ଟ୍ରିମିଂ ହେବାକୁ ଯାଉଛି ୱେବ୍‌ସିରିଜ୍‌ ‘ରଙ୍ଗିନ୍‌’, କେବଳ ପ୍ରାଇମ୍‌ ଭିଡିଓରେ।
‘ରଙ୍ଗିନ୍‌’ର କାହାଣୀକୁ ନେଇ ପ୍ରାଇମ୍‌ଭିଡିଓ ପକ୍ଷରୁ ନିଜ ୱେବ୍‌ସାଇଟରେ ସୂଚନା ଦିଆଯାଇ ଲେଖାଯାଇଛି, ସ୍ତ୍ରୀଙ୍କଠାରୁ ବିଶ୍ୱାସଘାତକତାର ସମ୍ମୁଖୀନ ହେବା ପରେ ଜଣେ ସରଳ ସ୍ବାମୀ ପ୍ରତିଶୋଧ ନେବା ପାଇଁ ଏପରି କିଛି କରନ୍ତି, ଯେଉଁଥିରେ ତାଙ୍କୁ ନିଜର ନୂତନ ପରିଚୟ ମିଳିଥାଏ। ‘ରଙ୍ଗିନ୍‌’ ୱେବ୍‌ସିରିଜ୍‌ରେ ବିନୀତଙ୍କ ବ୍ୟତୀତ ଅଭିନେତ୍ରୀ ରାଜଶ୍ରୀ ଦେଶ୍‌ପାଣ୍ଡେ ଏବଂ ମେଘନା ମଲିକଙ୍କୁ ଦେଖିବାକୁ ମିଳିବ।