ରାମାୟଣ ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କର ପରଲୋକ, ସିନେମା ଜଗତରେ ଶୋକର ଛାୟା

ମୁମ୍ବାଇ: ଟେଲିଭିଜନ ଜଗତରେ ‘ରାମାୟଣ’ ଭଳି ଐତିହାସିକ ଧାରାବାହିକ ଆଣି ଇତିହାସ ରଚି ଥିବା ପ୍ରଖ୍ୟାତ ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ତଥା ଜଣାଶୁଣା ପ୍ରଯୋଜକ ଓ ସିନେମାଟୋଗ୍ରାଫର ପ୍ରେମ ସାଗରଙ୍କର ପରଲୋକ ଘଟିଛି। ୮୪ ବର୍ଷ ବୟସରେ ପ୍ରେମ ସାଗର ରବିବାର ସକାଳ ୧୦ଟାରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ସିନେମା ଓ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରେମ ସାଗର ତାଙ୍କ ପିତା ରାମାନନ୍ଦ ସାଗରଙ୍କ ସାଗର ଆର୍ଟସ ବ୍ୟାନରକୁ ଆଗେଇ ନେଇଥିଲେ ଏବଂ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (FTII)ର ୧୯୬୮ ବ୍ୟାଚର ଏକ ଉଲ୍ଲେଖନୀୟ ଆଲୁମନାଇ ମଧ୍ୟ ଥିଲେ।
ସୂଚନା ଅନୁଯାୟୀ, ପ୍ରେମ ସାଗର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ଡାକ୍ତରମାନେ ତାଙ୍କୁ ଘରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ପବନ ହଂସ ଶ୍ମଶାନ ଗୃହରେ ତାଙ୍କର ଅନ୍ତିମ ସଂସ୍କାର ହେବ।
ପ୍ରେମ ସାଗର ସାଗର ଆର୍ଟସ ବ୍ୟାନର ଅଧୀନରେ ଅନେକ ପ୍ରୋଜେକ୍ଟରେ ଫଟୋଗ୍ରାଫର ଓ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ କରିଥିଲେ, ଯାହାର ପ୍ରତିଷ୍ଠା ତାଙ୍କ ପିତା ରାମାନନ୍ଦ ସାଗର କରିଥିଲେ। କାହାଣୀ କହିବା, ସିନେମା ଓ ଭକ୍ତିର ପରିବେଶରେ ବଢ଼ି ଓଠିଥିବା ପ୍ରେମ ସାଗରଙ୍କ କାର୍ଯ୍ୟରେ ଏହାର ସ୍ପଷ୍ଟ ପ୍ରତିଫଳନ ଦେଖାଯାଉଥିଲା। ଟେକ୍ନିକାଲ କାର୍ଯ୍ୟ ସହିତ ସେ ପ୍ରୋଡକ୍ସନ କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। କାମ ସହିତ ତାଙ୍କର ନମ୍ର ଓ ସୌଜନ୍ୟମୟ ବ୍ୟବହାର ପାଇଁ ମଧ୍ୟ ସେ ସମସ୍ତଙ୍କ ମଧ୍ୟରେ ଜଣାଶୁଣା ଥିଲେ।