ଆମେରିକାରେ ହେବାକୁ ଥିବା ସ୍ବତନ୍ତ୍ର ଅଲମ୍ପିକ୍ସ ସାଇକେଲିଂ ରେସରେ ଭାଗନେବେ ରାମ ବରିହା, ଅର୍ଥ ବାଧକ ସାଜିଥିବାରୁ…

ବଲାଙ୍ଗୀର, ୫।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁନ୍ତଳାସ୍ଥିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ରାମ ବରିହା ବିଶ୍ୱସ୍ତରୀୟ ସ୍ବତନ୍ତ୍ର ଅଲମ୍ପିକ୍ସରେ ଭାଗ ନେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଷ୍ଟିଲ ସିଟି ବୋକାରୋରେ ଅନୁଷ୍ଠିତ ଜାତୀୟ ଚମ୍ପିୟନସିପ ପ୍ରତିଯୋଗିତାରେ ସେ ଦୁଇ ଓ ପାଞ୍ଚ କିଲୋମିଟର ସାଇକେଲିଂ ପ୍ରତିଯୋଗିତାରେ ସେ ଦୁଇଟି ସ୍ବର୍ଣ୍ଣ ପଦକ ଜିତି ଜାତୀୟ ଆଇକନ ପାଲଟିଛନ୍ତି। ଏବେ ତାଙ୍କ ଉପରେ ସାରା ଦେଶର ନଜର ରହିଛି। ଚଳିତ ବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ସ୍ବତନ୍ତ୍ର ଅଲମ୍ପିକ୍ସ ପ୍ରତିଯୋଗିତାରେ ସେ ଭାଗ ନେବେ। ତେବେ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅର୍ଥ ସାଜିଛି ବାଧକ। କୋଚ ଉମାକାନ୍ତ ଷଡ଼ଙ୍ଗୀ ସୋମବାର ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାରଙ୍କୁ ଭେଟି ରାମ ବରିହାଙ୍କୁ ଉଚିତ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଜିଲାପାଳ ଇସଲଓ୍ବାର ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ରାମ ବିଶ୍ୱ ଚମ୍ପିୟନ ହୋଇ ବଲାଙ୍ଗୀର ସହ ଓଡ଼ିଆ ଓ ଦେଶକୁ ଗୌରବାନ୍ବିତ କରନ୍ତୁ ବୋଲି କହିଛନ୍ତି।

Dharitri – The Largest & Most Trusted Odia Daily

Share
Tags: odisha