୩୧ରେ ୧୩ ରାଜ୍ୟ ସଭା ଆସନ ଲାଗି ଭୋଟ

ନୂଆଦିଲ୍ଲୀ,୮।୩: ଆସନ୍ତା ଏପ୍ରିଲରେ ୬ ରାଜ୍ୟରୁ ୧୩ ରାଜ୍ୟ ସଭା ଆସନ ଖାଲି ହେବାକୁ ଥିବାବେଳେ ଏଥିପାର୍ଇ ମାର୍ଚ୍ଚ ୩୧ରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନି ଏବଂ ଆନନ୍ଦ ଶର୍ମାଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେଉଛି। ଆସାମରେ ୨ ଆସନ, କେରଳରେ ୩ ଆସନ, ହିମାଚଳପ୍ରଦେଶ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଗୋଟିଏ ଲେଖାଏ ଆସନ ଏପ୍ରିଲ ୨ରେ ଖାଲି ହେବାକୁ ଥିବାବେଳେ ଏପ୍ରିଲ ୯ରେ ପଞ୍ଜାବର ୫ ସଦସ୍ୟ ଅବସର ନେବେ। ତେବେ ପଞ୍ଜାବର ୫ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଦୁଇଟି ପାଇଁ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି। ମାର୍ଚ୍ଚ ୩୧ ତାରିଖ ନିର୍ବାଚନ ପାଇଁ ୧୪ରେ ବିଜ୍ଞପ୍ତି ଜାରି ହେବ। ଭୋଟ ଦିନ ୫ଟା ପରେ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହେଉଥିବା ଅନ୍ୟ ପ୍ରମୁଖ ନେତାଙ୍କ ମଧ୍ୟରେ ଅଛନ୍ତି ପ୍ରତାପ ସିଂ ବାଜ୍‌ଓ୍ବା ଏବଂ ନରେଶ ଗୁଜରାଲ (ପଞ୍ଜାବ)। ପଞ୍ଜାବରୁ ରାଜ୍ୟ ସଭା ଲାଗି ପ୍ରତିନିଧିତ୍ୱ ଚଳିତ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନିର୍ଭର କରିବ। ଫେବୃୟାରୀ ୨୦ରେ ପଞ୍ଜାବରେ ନିର୍ବାଚନ ହୋଇଥିବାବେଳେ ଆସନ୍ତା୧୦ରେ ଫଳାଫଳ ପ୍ରକାଶ ପାଇବ।