ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ ସପ୍ତାହରେ ସେ ଆତ୍ମସମର୍ପଣ କରିଛନ୍ତି। ରାଜପାଲଙ୍କ ଜାମିନ ଶୁଣାଣି ଗୁରୁବାର ଅନୁଷ୍ଠିତ ହେବ। ଏନେଇ ତାଙ୍କ ପରିବାର ଓ ପ୍ରଶଂସକମାନେ ଆଶାବାଦୀ ରହିଛନ୍ତି। ରାଜପାଲଙ୍କ ମ୍ୟାନେଜର ଗୋଲ୍ଡିଙ୍କ ସୂଚନା ଅନୁଯାୟୀ, ଅଭିନେତାଙ୍କୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ବଲିଉଡ୍ ଏକଜୁଟ୍ ହୋଇଛି।

ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ଭଳି ଆଗଧାଡିର ନେତା ଆର୍ଥିକ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି। ନିର୍ଦ୍ଦେଶକ ଡେଭିଡ୍ ଧୱନ ଏବଂ ତାଙ୍କ ପୁଅ ବରୁଣ ଧୱନ ମଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୋନୁ ସୁଦ ସର୍ବସାଧାରଣରେ ରାଜପାଲଙ୍କୁ ସମର୍ଥନ ଜଣାଇବା ସହ ନିଜ ଆଗାମୀ ଫିଲ୍ମ ପାଇଁ ସାଇନିଂ ଆମାଉଣ୍ଟ ପ୍ରଦାନ କରିଛନ୍ତି। ଏଥିସହ ମ୍ୟୁଜିକ ପ୍ରଡ୍ୟୁସର ରାଓ ଇନ୍ଦ୍ରଜିତ ସିଂହ ୧.୧୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଆସନ୍ତା ଫେବୃଆରୀ ୧୯ ତାରିଖରେ ରାଜପାଲଙ୍କ ଝିଆରୀଙ୍କ ବିବାହ ସ୍ଥିର ହୋଇଛି। ପରିବାର ଲୋକେ ଆଶା କରୁଛନ୍ତି ଯେ ରାଜପାଲ ଜାମିନ ପାଇ ଖୁବଶୀଘ୍ର ଘରକୁ ଫେରିବେ ଏବଂ ବିବାହ ଉତ୍ସବରେ ସାମିଲ ହେବେ। ମ୍ୟାନେଜରଙ୍କ କହିବା ଅନୁଯାୟୀ, ପରିବାର ଏହି କଷ୍ଟକର ସମୟରେ ମଧ୍ୟ ଧୈର୍ଯ୍ୟ ଧରି ରହିଛି।

୨୦୧୦ ମସିହାରେ ନିଜର ନିର୍ଦ୍ଦେଶିତ ଫିଲ୍ମ ‘ଅତା ପତା ଲାପତା’ ପାଇଁ ରାଜପାଲ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ। ଟଙ୍କା ଫେରସ୍ତ କରିବାରେ ବିଫଳ ହେବା ଏବଂ ବାରମ୍ବାର ଚେକ୍ ବାଉନ୍ସ ହେବା ଯୋଗୁଁ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ବର୍ତ୍ତମାନ ଏହି ବକେୟା ରାଶି ପ୍ରାୟ ୯ କୋଟି ଟଙ୍କାରେ ପହଞ୍ଚିଛି।

Share