ରାଜନାଥ-ଅଷ୍ଟିନ୍‌ ସାକ୍ଷାତ୍‌: ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ସହମତି

ନୂଆଦିଲ୍ଲୀ,୨୦।୩: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଜେମ୍ସ୍‌ ଅଷ୍ଟିନ୍‌ ଏବଂ ଭାରତୀୟ ପ୍ରତିପକ୍ଷ ରାଜନାଥ ସଇଠଙ୍କ ମଧ୍ୟରେ ବିଜ୍ଞାନ ଭବନଠାରେ ସାକ୍ଷାତ୍‌ ହୋଇଛି। ଏହି ଅବସରରେ ହୋଇଥିବା ପ୍ରତିନିଧିସ୍ତରୀୟ ବୈଠକରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଛି। ଭାରତୀୟ ସେନା ଏବଂ ଆମେରିକା ସୈନ୍ୟ ବାହିନୀର ହିନ୍ଦ୍‌-ପ୍ରଶାନ୍ତ କମାଣ୍ଡ୍‌, ମଧ୍ୟ କମାଣ୍ଡ ଏବଂ ଆଫ୍ରିକା କମାଣ୍ଡ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ଆମେରିକା ମଧ୍ୟରେ ସହଯୋଗ ବଢ଼ିବା ନେଇ ସଫଳ ଭାବେ ସହମତି ପ୍ରକାଶ ପାଇଥିବା ରାଜନାଥ ସିଂ ସୂଚନା ଦେଇଛନ୍ତି। ସେହିପରି ଲୋୟଡ ଜେମ୍ସ୍‌ କହିଛନ୍ତି ଯେ, ଦୁଇଦେଶ କ୍ଷେତ୍ରୀୟ ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଲୋୟଡ ଜେମ୍ସ୍‌ ଜାପାନ ଏବଂ ଦକ୍ଷିଣ କୋରିଆ ଗସ୍ତ ପରେ ଭାରତ ଆସିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଗଠନ ପରେ ଲୋୟଡ ଭାରତ ଆସିଛନ୍ତି। ତାଙ୍କ ଗସ୍ତ ବେଶ୍‌ ଗୁରୁତ୍ୱବହନ କରୁଛି।