ରଜନା-ଚିନ୍ଦାପଡ଼ା ରାସ୍ତା କର୍ଦ୍ଦମାକ୍ତ: ଯାତାୟାତରେ ଅସୁବିଧା

ନୂଆପଡ଼ା,୧୬ା୭ (ମକାରୁ ବେମାଲ):ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ରାସ୍ତାର ଉନ୍ନତୀକରଣ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏମିତି ଅନେକ ରାସ୍ତା ରହିଛି ଯାହା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କୋମନା ବ୍ଲକ ରଜନା ପଞ୍ଚାୟତ ଚିନ୍ଦାପଡ଼ାରେ। ରଜନା ଗାଁ ଯଜ୍ଞବେଦୀଠାରୁ ଚିନ୍ଦାପଡା ପର୍ଯ୍ୟନ୍ତ ଲମ୍ବିଥିବା ମାଟିରାସ୍ତା ବର୍ଷା ଯୋଗୁ କର୍ଦ୍ଦମାକ୍ତ ହୋଇପଡିଛି। ଫଳରେ ପଡାବାସୀଙ୍କ ପାଇଁ ଯାତାୟାତରେ ବହୁତ ଅସୁବିଧା ହେଉଛି। କାଦୁଅ ରାସ୍ତାରେ କୁନି ପିଲାମାନେ ଅଙ୍ଗନୱାଡି କେନ୍ଦ୍ର ଯାଇପାରୁ ନ ଥିବା ବେଳେ ସ୍କୁଲ ଛାତ୍ରୀଛାତ୍ର ବହୁତ କଷ୍ଟରେ ଯାଇ ପାଠ ପଢୁଛନ୍ତି ା ବୃଦ୍ଧାବୃଦ୍ଧ, ଭିନ୍ନକ୍ଷମ ପଞ୍ଚାୟତକୁ ଭତ୍ତା ଟଙ୍କା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯାଇପାରୁ ନାହାନ୍ତି। କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ପଡାବାସୀ ଅନେକ ଥର ସରପଞ୍ଚଠାରୁ ବିଡିଓ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହା ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟରାସ୍ତା ହୋଇଥିବାରୁ ମରାମତି କରିବା ଅତି ଆବଶ୍ୟକ ବୋଲି ପଡାବାସୀ ପ୍ରକାଶ କରିଛନ୍ତି। ଜୁଲାଇ ୩୦ ଭିତରେ ରାସ୍ତା କାମ ନ ହେଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ୱାର୍ଡ ସଭ୍ୟା ସୁମିତ୍ରା ଚିନ୍ଦା, ପଦ୍ମେ ଚିନ୍ଦା, କୁମନ୍ତି ଚିନ୍ଦା, ସାବେତ୍ରୀ ଚିନ୍ଦା, ସେମନି ଚିନ୍ଦା, ପୀର ଚିନ୍ଦା, ମାନସିଂ ଚିନ୍ଦା, ଭୂଜବଳ ଚିନ୍ଦା, ଜଗତ ରାମ ଶଗରିଆ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ କୋମନା ବିଡିଓ ବିନୟ ଭୋଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା ା